ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କମାଣ୍ଡର ଜେନେରାଲସ୍ତରରେ ଆଲୋଚନା ଜାରି

ସଂଘର୍ଷସ୍ଥଳରେ କୌଣସି ଯବାନ ନିଖୋଜ ନାହାନ୍ତି: ସେନା

ନୂଆଦିଲ୍ଲୀ : ପୂର୍ବ ଲଦାଖ୍‌ରେ ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଆଜି ଉଭୟ ଦେଶର ମେଜର ଜେନେରାଲସ୍ତରରେ ହୋଇଥିବା ବୈଠକ ବିନା କୌଣସି ପରିଣାମରେ ଶେଷ ହୋଇଛି। ସୀମାରେ ଉତ୍ତେଜନା ହ୍ରାସ ପାଇଁ ଆଜି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଥିବା ବୈଠକ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା, କିନ୍ତୁ ଏଥିରୁ କୌଣସି ସୁଫଳ ମିଳିନାହିଁ। ଆସନ୍ତାକାଲି ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି। ସୋମବାର ରାତିରେ ଚୀନ୍‌ ସେନାର ଆକ୍ରମଣରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ପ୍ରାୟ ୪୫ ଚୀନ୍‌ ସୈନିକ ମୃତାହତ ହୋଇଥିବା ଜଣାପଡ଼ିଛି। ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଏହି ସଂଘର୍ଷ ପରେ ସୀମାରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଗତକାଲି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୱିଙ୍କ ମଧ୍ୟରେ ଟେଲିଫୋନ ଆଲୋଚନା ହୋଇଥିଲା। ତେବେ ଚୀନ୍‌ ସେନାର ବିଶ୍ବାସଘାତ ପରେ ଏବେ ଭାରତ ସୀମା ସ୍ଥିତି ନେଇ ରଣନୀତି ବଦଳାଇଛି। ଆଜି ଆଲୋଚନାରେ ଗଲୱାନ ଘାଟିରୁ ଚୀନ୍‌ ସେନା ତୁରନ୍ତ ହଟିବା ଉପରେ ଭାରତ ଗୁରୁତ୍ବାରୋପ କରିବା ସହ ଏଲଏସିରେ କୌଣସି ପରିବର୍ତ୍ତନ ହେବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲା।

ସଂଘର୍ଷସ୍ଥଳରେ କୌଣସି ଯବାନ ନିଖୋଜ ନାହାନ୍ତି: ସେନା
ନୂଆଦିଲ୍ଲୀ : ଲଦାଖ୍‌ର ଗଲୱାନ ଘାଟିରେ ଚୀନ୍‌ ସୈନିକଙ୍କ ସହିତ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର କୌଣସି ଯବାନ ନିଖୋଜ ନାହାନ୍ତି। ସୋମବାର ରାତିରେ ସଂଘର୍ଷସ୍ଥଳରେ ଥିବା ଯବାନଙ୍କ ମଧ୍ୟରୁ କେହି ନିଖୋଜ ନାହାନ୍ତି ବୋଲି ଆଜି ସେନା ସ୍ପଷ୍ଟ କରିଛି। ଉଭୟ ଦେଶ ମଧ୍ୟରେ ପ୍ରାୟ ୫୦ ବର୍ଷ ପରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୭୦ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କ ମଧ୍ୟରୁ ୫୮ ଜଣ ଖୁବ୍‌ଶୀଘ୍ର କାର୍ଯ୍ୟରେ ଯୋଗଦେବେ ବୋଲି ସେନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର