ଭାରତ-ଚୀନ୍ ସୀମା ବିବାଦ ବେଳେ ଚୀନ୍ ଦୂତାବାସରେ ୮୦୦ ମେଣ୍ଢା ପୂରାଇ ଦେଇଥିଲେ ଅଟଳ ବିହାରୀ ବାଜପେୟୀ

ନୂଆଦିଲ୍ଲୀ: ୧୯୬୭ ମସିହାରେ ଭାରତ ସହ ସୀମାନ୍ତରେ ବିବାଦ ବେଳେ ଚୀନ୍ ଯେତେ ସବୁ କାରଣ ଦର୍ଶାଇ ଥିଲା ସେଥିରୁ ଗୋଟିଏ ଥିଲା ଯେ, ଭାରତୀୟ ଯବାନମାନେ ଚୀନ୍‌ର ମେଣ୍ଢା ଓ ଚମରୀଗାଈ ଚୋରାଇ ନେଇଛନ୍ତି।

ଅଗଷ୍ଟ-ସେପ୍ଟେମ୍ବର ୧୯୬୫ ମସିହାରେ ଚୀନ୍ ଏହି ଅଭିଯୋଗ କରିଥିଲା। ଭାରତର ସୁରକ୍ଷାରେ ଥିବା ସିକିମ୍ ରାଜ୍ୟକୁ ନେଇଯିବାକୁ ଚୀନ୍ ସେତେବେଳେ ଭାରତ ସହ ବିବାଦ ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲା। ସେତେବେଳ ଭାରତ କଶ୍ମୀରରେ ପାକିସ୍ତାନରୁ ଆସୁଥିବା ଅନୁ‌‌ପ୍ରବେଶକାରୀଙ୍କ ସହ ଲଢ଼େଇ କରୁଥିବାରୁ ଚୀନ୍ ଏହାକୁ ଅପୂର୍ବ ସୁଯୋଗ ବୋଲି ଚିନ୍ତା କରିଥିଲା।

ଏହା ବ୍ୟତିରେକେ, ମାତ୍ର ତିନି ବର୍ଷ ତଳେ ଚୀନ୍ ସହ ଯୁଦ୍ଧ କରି ଭାରତ ଅପମାନଜନକ ପରାଜୟ ସ୍ବୀକାର କରିଥିଲା। ତେଣୁ, ୧୯୬୨ ଯୁଦ୍ଧ ଭଳି ଭ‌ାରତକୁ ଆଉ ଏକ ଶିକ୍ଷା ଦେବାକୁ ଚାହୁଁଥିଲା ଚୀନ୍।

ଚୀନ୍ ଅଭିଯୋଗ ଜଣାଇ ଭାରତ ସରକାରଙ୍କୁ ଚିଠି ଲେଖିଲା ଯେ, ଭାରତୀୟ ସୈନିକମାନେ ଚୀନ୍‌ର ୮୦୦ ମେଣ୍ଢା ଓ ୫୯ଟି ଚମରୀଗାଈ ଚୋରାଇ ନେଇଛନ୍ତି। ଏ ଅଭିଯୋଗ ମିଥ୍ୟା ବୋଲି ଖଣ୍ଡନ କରି ଭାରତ ସରକାର ଚୀନ୍‌କୁ ଚିଠି ଲେଖିବା ବେଳେ ଭାରତୀୟ ସାଂସଦ ତଥା ‘ଜନସଂଘ’ ନେତା ୪୨ ବର୍ଷିୟ ଅଟଳବିହାରୀ ବାଜପେୟୀ ଚୀନ୍‌କୁ ଚିଡ଼ାଇ ଦେବା ଭଳି ଏକ କାମ କରିଥିଲେ।

Image Courtesy of The Print

ସେପ୍ଟେମ୍ବର ମାସ ଶେଷ ଆଡ଼କୁ ବାଜପେୟୀ ୮୦୦ ମେଣ୍ଢା ଯୋଗାଡ଼ କରି ସେମାନଙ୍କୁ ନୂଆଦିଲ୍ଲୀସ୍ଥିତ ଚୀନ୍ ଦୂତାବାସକୁ ଅଡ଼ାଇ ନେଇଥିଲେ। ସେ ମେଣ୍ଢାମାନଙ୍କ ଦେହରେ ଲାଗିଥିବା ଖଣ୍ଡେ ଲେଖାଏଁ ପ୍ଲାକାର୍ଡରେ ଲେଖା ହୋଇଥିଲା: ‘ମତେ ଖାଅ ପଛେ ବିଶ୍ବକୁ ବଞ୍ଚାଅ’।

ଏ ଘଟଣାରେ ଚୀନ୍ ଏ ଭଳି ଚିଡ଼ି ଗଲା ଯେ, ତୁରନ୍ତ ଲାଲ ବାହାଦୂର ଶାସ୍ତ୍ରୀ ସରକାରଙ୍କୁ ଆଉ ଗୋଟାଏ ଚିଠି ଲେଖିଲା। ସେଥିରେ ଚୀନ୍ ଜଣାଇଥିଲା କି, ବାଜପେୟୀଙ୍କ ପ୍ରତିବାଦ ଚୀନ୍ ଜାତି ପ୍ରତି ଅପମାନ। ଶାସ୍ତ୍ରୀ ସରକାରଙ୍କ ସମର୍ଥନରେ ହିଁ ସେ ଏ ଭଳି କରିପାରିଲେ ବୋଲି ଚୀନ୍ ଦୋଷାରୋପ କରିଥିଲା।

ଚିଠିର ଉତ୍ତର ଦେଇ ଭାରତ ସରକାର ଲେଖିଥିଲେ, ଦିଲ୍ଲୀର କେତେକ ନାଗରିକ ୮୦୦ ମେଣ୍ଢାଙ୍କୁ ନେଇ ପଟୁଆର ବାହାର କରିଥିଲେ। ଏହି ପ୍ରତିବାଦରେ ଭାରତ ସରକାରଙ୍କର କୌଣସି ଭୂମିକା ନ ଥିଲା। ଭାରତ ବିରୋଧରେ ଚୀନ୍‌ର ଯୁଦ୍ଧ ଡାକର ବିପକ୍ଷରେ ଏହା ଥିଲା ଦିଲ୍ଲୀ ନାଗରିକମାନଙ୍କର ସ୍ବତଃର୍ସ୍ଫୂତ, ଶାନ୍ତିପୂର୍ଣ୍ଣ, ତଥା ମଧୁର ବ୍ୟଙ୍ଗାତ୍ମକ ପ୍ରତିବାଦ।

 

 

ସମ୍ବନ୍ଧିତ ଖବର