ମସ୍କୋ: ରୁଷ୍-ୟୁକ୍ରେନ୍ ସମ୍ଭାବ୍ୟ ଶାନ୍ତି ଆଲୋଚନା ନେଇ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁତ୍ବପୂର୍ଣ୍ଣ ଘୋଷଣ କରିଛନ୍ତି। ଏହି ଶାନ୍ତି ଆଲୋଚନାରେ ଭାରତ, ଚୀନ୍ ଓ ବ୍ରାଜିଲ୍ ମଧ୍ୟସ୍ଥି ଭାବେ କାର୍ଯ୍ୟ କରିପାରିବେ ଏବଂ ଏଥିପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ରୁଷ୍ ରାଷ୍ଟ୍ରପତି ଆଜି ବୟାନ ଜାରି କରିଛନ୍ତି। ପୁଟିନ୍ କହିଛନ୍ତି ଯେ ଯୁଦ୍ଧର ପ୍ରଥମ ସପ୍ତାହରେ ଇସ୍ତାନବୁଲରେ ହୋଇଥିବା ଆଲୋଚନାରେ ରୁଷିଆ ଏବଂ ୟୁକ୍ରେନର ଆଲୋଚନାକାରୀଙ୍କ ମଧ୍ୟରେ ଏକ ପ୍ରାଥମିକ ରାଜିନାମା ହୋଇଥିଲା। ଆଗକୁ ହେବାକୁ ଥିବା ଶାନ୍ତି ଆଲୋଚନାରେ ଏହା ଏକ ଆଧାର ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ୟୁକ୍ରେନ ଗସ୍ତ କରିବାର କିଛିଦିନ ପରେ ପୁଟିନ ଏହି ବୟାନ ଦେଇଥିବା ବେଳେ ଶାନ୍ତି ଆଲୋଚନା ନେଇ ନୂଆ ଆଶା ସଂଚାର ହୋଇଛି।
ପୁଟିନ୍ କହିଛନ୍ତି ‘ଆମେ ଆମର ବନ୍ଧୁ ଏବଂ ସହଯୋଗୀମାନଙ୍କୁ ସମ୍ମାନ କରୁଛୁ, ଯେଉଁମାନେ ଆନ୍ତରିକତାର ସହ ଏହି ସଂଘର୍ଷ ସହିତ ଜଡିତ ସମସ୍ତ ସମସ୍ୟାର ସମାଧାନ ଚାହୁଛନ୍ତି। ମୁଖ୍ୟତଃ ଭାରତ, ଚୀନ୍ ଓ ବ୍ରାଜିଲ ଏ ବାବଦରେ ସଫଳ ସମାଧାନ ଚାହୁଛନ୍ତି ଏବଂ ସେମାନେ ଆଗକୁ ଶାନ୍ତି ଆଲୋଚନାର ମଧ୍ୟସ୍ଥି ଭାବେ ଭୂମିକା ନିର୍ବାହ କରିପାରିବେ।’