ଆସନ୍ତା କାଲି ୪ର୍ଥ ଭାରତ-ଚୀନ ମିଲିଟାରୀ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ : ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ ମଧ୍ୟରେ ଆସନ୍ତାକାଲି ୪ର୍ଥ ଥର ପାଇଁ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ । ଏହି ଆଲୋଚନା ଏଲଏସିର ଭାରତ ପଟେ ପୂର୍ବ ଲଦାଖର ଚୁସୁଲଠାରେ ହେବ । ଏହି ଆଲୋଚନା ବେଳେ ୨ୟ ପର୍ଯ୍ୟାୟ ସେନା ଅପସାରଣ ବାବଦରେ ହେବ ।

ଏହି ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ତରଫରୁ ମେଜର ଜେନେରାଲ ଲିଉ ଲିନ ଯୋଗ ଦେବେ । ବିଶେଷକରି ପେଙ୍ଗୟାଂ ସୋ ହ୍ରଦ ଅଞ୍ଚଳରେ ଏବେ ବି ରହିଥିବା ଚୀନ ସେନା ଅପସାରଣ ନେଇ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି । ଗତ ଜୁନ ୩୦ ତାରିଖରେ ଚୁସୁଲଠାରେ ଅନୁଷ୍ଠିତ ଆଲୋଚନା ବେଳେ ୩ଟି କ୍ଷେତ୍ରରୁ ସେନା ଅପସାରଣ ଲାଗି ସହମତି ହୋଇଥିଲା । ଏହା ପରେ ହଟ ସ୍ପ୍ରିଙ୍ଗ, ଗୋଗ୍ରା ଓ ଗଲଓ୍ଵାନରୁ ଚୀନସେନା ପଛକୁ ହଟିଥିଲେ ।

ଉତ୍ତେଜନା ହ୍ରାସ ପାଇଁ ଗତ ଜୁନ ୬ ତାରିଖ ଦିନ ଦୁଇଦେଶର ମିଲିଟାରୀ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା । ଏଥିରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଉତ୍ତେଜନା ହ୍ରାସ ପାଇଁ ଦୁଇପକ୍ଷ ରାଜି ହୋଇଥିଲେ । ଏହି ବୈଠକର ଫଳସ୍ୱରୂପ ଗତ ୯ ତାରିଖରେ ଚୀନ ଓ ଭାରତ ସେନା ପଛକୁ ଫେରିଥିଲେ । ତେବେ ୧୫ ତାରିଖ ରାତିରେ ଏହି ବୁଝାମଣାକୁ ଜଳାଞ୍ଜଳି ଦେଇ ଚୀନ ସେନା ପୁଣି ଅନୁପ୍ରବେଶ ପାଇଁ ଉଦ୍ୟମ କରିବାରୁ ଦୁଇସେନାମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ସେହିପରି ୨୨ ତାରିଖରେ ହୋଇଥିବା ବୈଠକରେ ସେନା ପଛକୁ ଫେରାଇବାକୁ ସହମତି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସଫଳତା ମିଳିନଥିଲା ।

ସମ୍ବନ୍ଧିତ ଖବର