ନୂଆଦିଲ୍ଲୀ : ଗତ ୧୫ ତାରିଖ ରାତିରେ ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଅନେକ ଥର କଥାବାର୍ତ୍ତା ହୋଇଥିଲେ ମଧ୍ୟ ଉତ୍ତେଜନା କମିବାର ନାଁ ଧରୁନାହିଁ । ଏହାକୁ ଦୃଷ୍ଟିରେ ରଖି ଭାରତ ଓ ଚୀନ ପକ୍ଷରୁ ସୀମାରେ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ଠୁଳ କରାଯାଉଛି । ଏପରିକି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ମାତ୍ର କିଛି ମିଟର ବ୍ୟବଧାନରେ ଦୁଇ ଦେଶର ହଜାର ହଜାର ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି ।
ଆଜି ମଧ୍ୟ ଦୁଇ ଦେଶର କୋର କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଚୀନ ଅଧିକୃତ ଲଦାଖର ମାଲଡୋଠାରେ ଚାଲିଛି । ଗତ ଜୁନ ୬ ତାରିଖ ପରେ ଏହା ହେଉଛି ୨ୟ କୋର କମାଣ୍ଡର ସ୍ତରୀୟ କଥାବାର୍ତ୍ତା । ଜୁନ ୬ ଆଲୋଚନାରେ ଦୁଇଦେଶ ନିଜ ନିଜର ସୈନ୍ୟଙ୍କୁ ମେ ପୂର୍ବବର୍ତ୍ତି ସ୍ଥାନକୁ ଫେରାଇନେବାକୁ ରାଜି ହୋଇଥିଲେ ମଧ୍ୟ ଚୀନ ସେନା ତାହାକୁ ମାନିନଥିଲା । ଆଜିର ଆଲୋଚନାରେ ପୂର୍ବ ରାଜିନାମାକୁ ସମ୍ମାନ ଜଣାଇବାକୁ ଭାରତ ଚୀନକୁ କହିଛି ।
ତେବେ ସୀମାରେ ପ୍ରାୟ ୧୦ ହଜାର ସୈନ୍ୟ ଜମା କରିଥିବା ଚୀନ ଏପର୍ଯ୍ୟନ୍ତ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ହେଉନଥିବା ସୂଚନା ମିଳିଛି । ସେହିପରି କେତେକ ଅସାଧାରଣ ସ୍ଥିତିରେ ଯବାନମାନେ ଅସ୍ତ୍ର ଧରିପାରିବେ ବୋଲି ଭାରତ ଚୀନକୁ ଜଣାଇଦେଇଛି ।