ନୂଆଦିଲ୍ଲୀ : ଇଣ୍ଡୋନେସିଆର ବାଲିଠାରେ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ମଧ୍ୟରେ କେବଳ ସୌଜନ୍ୟମୂଳକ ସାକ୍ଷାତ ହୋଇନଥିଲା। ବରଂ ଉଭୟ ନେତା ଦ୍ବିପାକ୍ଷିକ ସଂପର୍କକୁ ସ୍ବାଭାବିକ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚୀନ ପକ୍ଷରୁ ଉପରୋକ୍ତ ଖୁଲାସା କରାଯିବାର ଦୁଇଦିନ ପରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରାଳୟ ଏହା କହିଛି।
ବିଦେଶ ବ୍ୟାପାର ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗ୍ଚି କହିଛନ୍ତି, ଗତବର୍ଷ ବାଲିଠାରେ ଜି୨୦ ସମ୍ମିଳନୀ ଅବସରରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କରେ ସ୍ଥିରତା ଆଣିବାର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ଦ୍ବାରା ନୈଶଭୋଜି ସମୟରେ ଏହି ଆଲୋଚନା ହୋଇଥିଲା।
ଭାରତ-ଚୀନ ସୀମାର ୱେଷ୍ଟର୍ଣ୍ଣ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଥିବା ସମସ୍ୟାର ସମାଧାନ କରିବା ଲାଗି ଆମେ ନିରନ୍ତର ଉଦ୍ୟମ ଚଳାଇଛୁ। ସାମଗ୍ରିକ ସମାଧାନ ପାଇଁ ସୀମାରେ ଶାନ୍ତି ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।
ଚଳିତ ସପ୍ତାହରେ ଜୋହାନ୍ସବର୍ଗଠାରେ ଏନଏସଏ ଅଜିତ ଡୋଭାଲ ଏବଂ ଚୀନ କୂଟନୀତିଜ୍ଞ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଉତ୍ତର ଦେବାବେଳେ ବାଗଚି କହିଛନ୍ତି ବାଲିଠାରେ ମୋଦୀ ଏବଂ ଜିନପିଙ୍ଗ୍ ସଂପର୍କ ସ୍ବାଭାବିକ କରିବା ପାଇଁ ସହମତ ହୋଇଛନ୍ତି। ବାଲିଠାରେ ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ସାଧାରଣ ଆଲୋଚନା ନେଇ ସୂଚନା ଦିଆଯାଇଥିଲା ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ୨୦୨୦ ମେ ମାସରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ସର୍ବସାଧାରଣରେ ଏହା ପ୍ରଥମ ଆଲୋଚନା ଥିଲା। ବିଦେଶ ସଚିବ ଏ ସଂପର୍କରେ ଉଲ୍ଲେଖ କରିଥିବା ମୁଁ ଭାବୁଛି। ତେବେ ଦ୍ବିତୀୟ ଅଂଶ ସଂପର୍କରେ ସେ ବୋଧହୁଏ ଉଲ୍ଲେଖ କରି ନଥିଲେ ବୋଲି ବାଗଚି କହିଛନ୍ତି।
ସଂପ୍ରତି ଭାରତ ଏବଂ ଚୀନ ସେନା ପୂର୍ବ ଲଦାଖର ବିଭିନ୍ନ ସ୍ଥାନରେ ଛକାପଞ୍ଛା ଅବସ୍ଥାରେ ଅଛନ୍ତି। କିନ୍ତୁ ବ୍ୟାପକ କୂଟନୈତିକ ଏବଂ ସାମରିକ ଆଲୋଚନା ପରେ କିଛି ସ୍ଥାନରେ ଉତ୍ତେଜନା ହ୍ରାସ ପାଇଛି। ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ବୈଠକରେ ଜିନପିଙ୍ଗ ଯୋଗ ଦେବେ କି ବୋଲି ପ୍ରଶ୍ନ ହେବାରୁ ବାଗଚି କହିଥିଲେ ସବୁ ଆମନ୍ତ୍ରିତ ଅତିଥିମାନେ ଯେଭଳି ଯୋଗଦେବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।
ଭାରତ-ଚୀନ ମଧ୍ୟରେ ସୀମାରେ ସଂପର୍କ ସ୍ବାଭାବିକ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଗତବର୍ଷ ବାଲିଠାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ସହମତ ହୋଇଥିଲେ ବୋଲି ବିଦେଶ ମନ୍ତ୍ରାଳୟ କହିବା ପରେ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି। ସରକାରଙ୍କୁ କଟାକ୍ଷ କରିବାକୁ ଯାଇ ବିରୋଧୀ କଂଗ୍ରେସ କହିଛି ଏହା ସହମତି ନା ରିହାତି।
ଏକ ଟ୍ବିଟ୍ରେ କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଦୁଇ ଦେଶ ମଧ୍ୟରେ ହୋଇଥିବା ସହମତିକୁ ଇଙ୍ଗିତ କରି ପ୍ରଶ୍ନ କରିଛନ୍ତି ଯେ ଲଦାଖର ଦେପସାଙ୍ଗ୍ ଏବଂ ଦେମଚୋକ୍ରୁ ଚୀନର ସୈନିକମାନଙ୍କୁ ଶେଷରେ ପ୍ରତ୍ୟାହାର କରି ନିଆଯିବ ତ? ୩ ବର୍ଷରୁ ଅଧିକ ସମୟ ହେଲା ଭାରତୀୟ ସେନାର ପାଟ୍ରୋଲିଂକୁ ଚୀନ ସେନା ଏଠାରେ ଅଟକାଇଛି ବୋଲି ରମେଶ କହିଛନ୍ତି। ବାଲିରେ ନୈଶଭୋଜିରେ ହୋଇଥିବା ଆଲୋଚନାକୁ ସୌଜନ୍ୟମୂଳକ ମତବିନିମୟ ବୋଲି ସେ ଗ୍ରହଣ କରିପାରିନାହାନ୍ତି। କାରଣ ଚୀନର ବିଦେଶ ମନ୍ତ୍ରାଳୟ ପକ୍ଷରୁ ବାଲିଠାରେ ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ସହମତି ହୋଇଛି ବୋଲି ସୂଚନା ଦିଆଯାଇଛି।