ସେପ୍ଟେମ୍ବର ୧୨ ସୁଦ୍ଧା ସଂପୂର୍ଣ୍ଣ ହେବ ଗୋଗ୍ରା-ହଟସ୍ପ୍ରିଙ୍ଗରୁ ଭାରତ,ଚୀନର ସୈନ୍ୟ ପ୍ରତ୍ୟାହାର

ନୂଆଦିଲ୍ଲୀ :  ସେପ୍ଟେମ୍ବର ୧୨ ସୁଦ୍ଧା ଗୋଗ୍ରା ଓ ହଟସ୍ପ୍ରିଙ୍ଗରୁ ଉଭୟ ଭାରତ ଓ ଚୀନ ପକ୍ଷରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ସଂପୂର୍ଣ୍ଣ ହେବ । ଏହି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିଲା ।

ଏ ସଂପର୍କରେ ଏକ ବୟାନ ଜାରି କରି ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଫରଓ୍ବାର୍ଡ ଅଂଚଳରୁ ପର୍ଯ୍ୟାୟକ୍ରମେ ଓ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ସୈନ୍ୟପ୍ରତ୍ୟାହାର ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଏହା ସହିତ ଉଭୟ ପକ୍ଷର ତଦାରଖରେ ଉକ୍ତ ଅଂଚଳରେ ସ୍ଥାପନ କରାଯାଇଥିବା ଅସ୍ଥାୟୀ ନିର୍ମାଣକୁ ଭାଙ୍ଗି ଦିଆଯିବ । ଉଭୟ ସ୍ଥାନକୁ ୨୦୨୦ ପୂର୍ବ ସ୍ଥିତିକୁ ଫେରାଇ ନିଆଯିବ ।

ଗତ କାଲି ଅର୍ଥାତ ଗୁରୁବାରଦିନ ଉଭୟ ସେନା ପକ୍ଷରୁ ଏକ ମିଳିତ ବୟାନ ଜାରି କରି କୁହାଯାଇଥିଲା ଯେ ଗୋଗ୍ରା ଓ ହଟସ୍ପ୍ରିଙ୍ଗ ଇଲାକାର ପେଟ୍ରୋଲ ପଏଣ୍ଟ-୧୫ରୁ ସୈନ୍ୟ ପ୍ରତାହାର ପାଇଁ ସହମତି ହୋଇଛି । ବିଶେଷକରି ଚୀନ ସେନା ୨୦୨୦ର ପୂର୍ବସ୍ଥିତିକୁ ଫେରିଯିବାକୁ ରାଜି ହୋଇଛି । ଏହା ସହିତ ପେଙ୍ଗାଙ୍ଗ ହ୍ରଦଠାରୁ କିଛି ବାଟ ଦୂରକୁ ଯିବାକୁ ଚୀନ ରାଜି ହୋଇଛି ।

ଏହି ମିଳିତ ବୟାନରେ କୁହାଯାଇଛି ଯେ ଏହି ସୈନ୍ୟ ପ୍ରତ୍ୟାହାର ଦ୍ବାରା ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଶାନ୍ତି ଓ ସ୍ଥିରତା ବିରାଜମାନ କରିବ ।

 

ସମ୍ବନ୍ଧିତ ଖବର