ନୂଆଦିଲ୍ଲୀ: ଚୀନ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଭାରତ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ପୃଥିବୀରେ ଶାନ୍ତି ଗାନ କରୁଛି। ଗୋଟେ ପଟେ ନିଜ ସୈନ୍ୟମାନଙ୍କୁ ଭାରତୀୟ ସୀମାକୁ ଅନୁପ୍ରବେଶ ପାଇଁ କହୁଥିବା ବେଳେ ଅନ୍ୟପଟେ ଭାରତ ସହ ଶାନ୍ତି ବଜାୟ ରଖିବା ପାଇଁ ଚୀନ ପ୍ରୟାସ ଜାରି ରଖିଥିବା କହିଛି ଚୀନ। ଚୀନ୍ ରାଜ୍ୟ ପରାମର୍ଶଦାତା ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ ଫ୍ରାନ୍ସ ଗସ୍ତ ସମୟରେ କହିଛନ୍ତି ଯେ, ଭାରତ ସୀମାରେ ସ୍ଥିରତା ବଜାୟ ରଖିବାକୁ ଚୀନ୍ ପ୍ରତିବଦ୍ଧ।
ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ ଚୀନ୍ ଗ୍ଲୋବାଲ୍ ଟାଇମ୍ସକୁ କହିଛନ୍ତି ଯେ, ଚୀନ୍ ଏବଂ ଭାରତ ମଧ୍ୟରେ ସୀମା ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ, ତେଣୁ ସେଠାରେ ସମସ୍ୟା ରହିଛି। ଚୀନ୍ ନିଜର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ଦୃଢ଼ ଭାବରେ ବଜାୟ ରଖିବ ଏବଂ ଭାରତୀୟ ପକ୍ଷ ସହ କଥାବାର୍ତ୍ତା ମାଧ୍ୟମରେ ସମସ୍ତ ପ୍ରକାର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବ। ତେବେ ବିଶ୍ବରେ ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଥିବା କଥା କହୁଥିଲେ ମଧ୍ୟ ଏଲଏସିରେ ଯୁଦ୍ଧବିମାନ ସହ ସୈନ୍ୟ ନିୟୋଜିତ କରୁଛି ଚୀନ ।

ସୂଚନା ମୁତାବକ, ଅଗଷ୍ଟ ୨୯-୩୦ ରାତିରେ ଚୀନର ପିପୁଲସ୍ ଲିବରେସନ୍ ଆର୍ମିର ପ୍ରାୟ ୫୦୦ ସୈନିକମାନେ ପୂର୍ବ ବୈଠକରେ ହୋଇଥିବା ଚୁକ୍ତିନାମାକୁ ଭାଙ୍ଗି ପୂର୍ବ ଲଦାଖ ନିକଟରେ ଅନୁପ୍ରବେଶ କରିଥିଲେ ଏବଂ ସ୍ଥିତି ପରିବର୍ତ୍ତନ ପାଇଁ ଉତ୍ତେଜନାମୂଳକ ସାମରିକ ଗତିବିଧି କରିଥିଲେ। ତେବେ ଭାରତୀୟ ଯବାନ ପିଏଲଏ ସୈନିକଙ୍କ ଏଭଳି ପ୍ରୟାସକୁ ବିରୋଧ କରି ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଚୀନ୍ ସେନାକୁ ଅନୁପ୍ରବେଶରୁ ନିବୃତ୍ତ କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା।