ଚୀନ ସହ ଏଲଏସି ବିବାଦ ଉପରେ ସିଡିଏସ ବିପିନ ରାୱତଙ୍କ ବୟାନ: କଥାବର୍ତ୍ତାରେ ସମାଧାନ ନହେଲେ ସୈନ୍ୟ ବିକଳ୍ପ ବିଷୟରେ ବିଚାର କରାଯିବ

ନୂଆଦିଲ୍ଲୀ: ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଅସନ୍ତୋଷକୁ କମ କରିବା ପାଇଁ ପ୍ରୟାସ ଚାଲିଛି | ଗତ ଜୁନ ମାସରେ ଭାରତୀୟ ଏବଂ ଚୀନ ସେନା ମଧ୍ୟରେ ସଂଘର୍ଷ ହେବା ପରେ ଦୁଇ ଦେଶ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା | ତେବେ ଶାନ୍ତିପୂର୍ଣ୍ଣଭାବେ ଏହାର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ଆଲୋଚନା ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରି ନାହିଁ |

ପରିସ୍ଥିତିକୁ ଦେଖି ଚିଫ୍ ଅଫ୍ ଡିଫେନ୍ସ୍‌ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ କହିଛନ୍ତି ଯେ, ଯଦି ଲଦାଖରେ ଭାରତ-ଚୀନ୍ ସେନା ମଧ୍ୟରେ ଅସନ୍ତୋଷ କମ ନହୁଏ, ତେବେ ସାମରିକ ବିକଳ୍ପ ହିଁ ଏକ ମାତ୍ର ବାଟ | କିନ୍ତୁ ଦୁଇ ଦେଶର ସେନା ଏବଂ କୂଟନୈତିକ ଆଲୋଚନା ବିଫଳ ହେବା ପରେ ଏହି ବିକଳ୍ପକୁ ବିଚାର କରାଯିବ ବୋଲି ସେ କହିଛନ୍ତି।

general-rawat
oneindia

ସିଡିଏସ୍ ଜେନେରାଲ୍ ବିପିନ ରାୱତ କହିଛନ୍ତି ଯେ, ଏଲଏସିକୁ ନେଇ ବିବାଦ ଲାଗିରହିଛି | ଅନେକ ଆଲୋଚନା ପରେ ମଧ୍ୟ କଥା ଦେଇ ଚୀନ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରି ପାରି ନାହିଁ | ଚୀନ ଏବେ ମଧ୍ୟ ପାଗୋଙ୍ଗ ଅଞ୍ଚଳରେ ସୈନ୍ୟ ଠୁଳ କରୁଛି |  ଫିଙ୍ଗର -୫ରୁ ପଛକୁ ହଟିବାକୁ ଚୀନ ସେନା ପ୍ରସ୍ତୁତ ନଥିବା ଜଣା ପଡିଛି |

ଉଲ୍ଲେଖନୀୟ କଥା ହେଉଛି, ଏଲଏସି ଉପରେ ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ସାମରିକ ଆଲୋଚନା ହୋଇଛି | ଏଥିରେ ଲେଫ୍ଟନେଣ୍ଟ-ଜେନେରାଲ୍ ସ୍ତରୀୟ ଆଲୋଚନା ଅନ୍ତର୍ଭୁକ୍ତ | କୂଟନୈତିକ ସ୍ତରରେ ମଧ୍ୟ ଆଲୋଚନା ଜାରି ରହିଛି। ଯୁଗ୍ମ ସଚିବ ସ୍ତରର ଅଧିକାରୀମାନେ ଚୀନ୍ ସହ କଥାବାର୍ତ୍ତା କରୁଛନ୍ତି। ଏଭଳି ଅନେକ ଆଲୋଚନା ପରେ ମଧ୍ୟ ଏଲଏସି ବିବାଦର ସମାଧାନ ହୋଇନାହିଁ | ଚୀନ୍ ଆର୍ମି ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଫିଙ୍ଗର ଏବଂ ଡାର୍ଲା ଅଞ୍ଚଳରେ ସମରାଭ୍ୟାସ ଜାରି ରଖିଛି | ଏଭଳି ପରିସ୍ଥିତିରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ସାମରିକ ବିକଳ୍ପ ଉପରେ ମତାମତ ଦେଇ ଚୀନ୍‌କୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି।

ସମ୍ବନ୍ଧିତ ଖବର