ଖୁବ ଶୀଘ୍ର ଭାରତ ଓ ଚୀନ ସେନା ମଧ୍ୟରେ ହଟ୍‌ ଲାଇନ ସେବା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଦିନକୁ ଦିନ ତୀବ୍ର ହେଉଛି । ପ୍ରାୟ ପ୍ରତି ମାସରେ କୌଣସି ନା କୌଣସି କାରଣକୁ ନେଉ ଉଭୟ ଦେଶର ସେନା ପରସ୍ପରର ମୁହାଁମୁହିଁ ହେଉଛନ୍ତି । ଏହାକୁ ନେଇ ଏସିଆର ଏହି ଦୁଇଟି ମହାଶକ୍ତି ମଧ୍ୟରେ ସଂପର୍କ ଖରାପ ହେଉଛି ।
ତେବେ ସୀମାରେ ବାରମ୍ବାର ହେଉଥିବା ବିବାଦର ଆପୋଷ ସମାଧାନ ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି । ବିଶେଷକରି ଦୁଇ ଦେଶର ସେନା ମଧ୍ୟରେ କଥାବାର୍ତ୍ତାର ବାଟ ଫିଟାଇ ବିବାଦଗୁଡ଼ିକର ସ୍ଥାନୀୟ ସମାଧାନ ଲାଗି ଉଦ୍ୟମ କରାଯାଉଛି । ଏଥିଲାଗି ଭାରତ ଓ ଚୀନ ମଧ୍ୟରେ ହଟ୍‌ ଲାଇନ ସେବା ଆରମ୍ଭ ଲାଗି ଦୁଇଦେଶର ସରକାର ରାଜି ହୋଇଛନ୍ତି ।

ଏ ସଂପର୍କରେ ସୂଚନା ଦେଇ ଭାରତର ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ହଟ୍‌ଲାଇନ ସ୍ଥାପନ ଲାଗି କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଖୁବଶୀଘ୍ର ଏ ବାବଦରେ ଘୋଷଣା କରାଯିବ ।

ଏବେ ଭାରତ ଓ ପାକିସ୍ତାନ ସେନାର ଡିଜିଏମଓ ( ଡାଇରେକ୍ଟର ଜେନେରାଲ ଅପ ମିଲିଟାରୀ ଅପରେସନ୍ସ) ଙ୍କ ସ୍ତରରେ ହଟ୍‌ଲାଇନ୍‌ ସଂପର୍କ ଅଛି । ଠିକ ଏହିଭଳି ଚୀନର ଡିଜିଏମଓ ସ୍ତରୀୟ ଅଧିକାରୀଙ୍କ ସହ ହଟ୍‌ ଲାଇନ ସେବା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଦୁଇଟି ରାଷ୍ଟ୍ର ମଧ୍ୟରେ ଜରୁରୀକାଳିନ ଯୋଗାଯୋଗ ପାଇଁ ହଟ୍‌ ଲାଇନ ଟେଲିଫୋନ ବ୍ୟବହାର କରାଯାଏ । ଯାହାକି ପୂର୍ବନିର୍ଦ୍ଧାରିତ ଉକ୍ତ ଅଧିକାରୀଙ୍କ ସହ ବିନା ବାଧାରେ ତୁରନ୍ତ ସଂପର୍କ କରାଇଥାଏ । ଭାରତ ଓ ପାକିସ୍ତାନ ବୈଦେଶିକ ସଚିବ ଓ ଡିଜିଏମଓ ସ୍ତରରେ ହଟଲାଇନ ସେବା ଗତ ୨୦୦୪ରୁ ରହିଛି । ସେହିପରି ଭାରତ ଓ ଆମେରିକା ମଧ୍ୟରେ ମଧ୍ୟ ହଟ୍‌ଲାଇନ ସେବା ରହିଛି ।

ସମ୍ବନ୍ଧିତ ଖବର