ନୂଆଦିଲ୍ଲୀ: ଭାରତ ଓ ଚୀନ ସଂପର୍କରେ ସୁଧାର ଆଣିବା ଦିଗରେ ଆଜି ଦୁଇ ଦେଶ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି। ସ୍ଥଳଭାଗରେ ବାଣିଜ୍ୟ ପୁନର୍ବାର ଆରମ୍ଭ ପାଇଁ ରାଜି ହୋଇଛନ୍ତି। ଉତ୍ତରାଖଣ୍ଡର ଲିପୁଲେଖ ପାସ୍, ହିମାଚଳପ୍ରଦେଶର ସିପ୍କି ଲା ଏବଂ ସିକ୍କିମ୍ର ନାଥୁ ଲା ଦେଇ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ଆରମ୍ଭ ହେବ ବୋଲି ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ନିଷ୍ପତ୍ତି ହୋଇଛି।
ଆଲୋଚନାରେ ଯେଉଁ ନିର୍ଯାସ ବାହାରିଛି ସେଥିରେ ରହିଛି ସୀମା ପୁନଃନିର୍ଦ୍ଧାରଣ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଏଥିସହିତ ଦୁଇ ଦେଶର ପରବର୍ତ୍ତୀ ପର୍ଯ୍ୟାୟ ସ୍ବତନ୍ତ୍ର ପ୍ରତିନିଧିସ୍ତରୀୟ ବୈଠକ ଚୀନରେ ପରସ୍ପରକୁ ସୁବିଧା ହେବାଭଳି ତାରିଖରେ ହେବ ବୋଲି ମଧ୍ୟ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ଉତ୍ତେଜନା ହ୍ରାସ ପାଇଁ ଉଭୟ କୂଟନୈତିକ ଓ ସାମରିକ ମାଧ୍ୟମକୁ ବ୍ୟବହାର କରାଯିବ। ସୀମା ସମସ୍ୟା ବ୍ୟତୀତ ୱାଙ୍ଗ ଓ ଜୟଶଙ୍କର ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଓ ସାଂସ୍କୃତିକ ସଂପର୍କ ବୃଦ୍ଧି ଉପରେ ଗୁରୁତ୍ବରୋପ କରିଛନ୍ତି।
ସୀମା ପୁନଃନିର୍ଦ୍ଧାରଣ ପାଇଁ ବିଶେଷଜ୍ଞ କମିଟି କରାଯିବ
ସିଧା ବିମାନ ସଂଯୋଗ ହେବ
ଜଳ ପ୍ରବାହ ସଂପର୍କିତ ତଥ୍ୟ ଦେବ ଚୀନ
ଦୁଇ ଦେଶ ମଧ୍ୟରେ ସିଧା ବିମାନ ସଂଯୋଗକୁ ଆରମ୍ଭ କରିବା ଏବଂ ନୂଆ ଏୟାର ସର୍ଭିସ ରାଜିନାମାକୁ ଚୂଡ଼ାନ୍ତ କରିବାକୁ କୁହାଯାଇଛି। ୨୦୨୬ରେ କୈଳାସ-ମାନସରୋବର ଯାତ୍ରାକୁ ସଂପ୍ରସାରିତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ୨୦୨୬ରେ ଭାରତରେ ଏବଂ ୨୦୨୭ରେ ଚୀନରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହେବ। ତେଣୁ ଏ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ୨୦୨୫ରେ ଭାରତ ଓ ଚୀନ କୂଟନୈତିକ ସଂପର୍କ ସ୍ଥାପନକୁ ୭୫ ବର୍ଷ ପୂରଣ ହେଉଥିବାରୁ ଏନେଇ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମିଳିତଭାବେ କାର୍ଯ୍ୟ କରିବେ। ଦୁଇ ଦେଶ ମଧ୍ୟରେ ପ୍ରବାହିତ ନଦୀ ସଂପର୍କରେ ସହଯୋଗ ବୃଦ୍ଧି କରିବେ। ଏଥିସହିତ ଜରୁରୀକାଳୀନ ସ୍ଥିତିରେ ଚୀନ ଜଳ ପ୍ରବାହ ସଂପର୍କିତ ତଥ୍ୟ ଭାରତକୁ ଦେବା ପାଇଁ ରାଜି ହୋଇଛି। ଦୁଇ ଦେଶ ମଧ୍ୟରେ ଉଭୟ ବାଣିଜ୍ୟ ଓ ନିବେଶ ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ମଧ୍ୟ ସହମତି ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/20/dgdgdcvcv-2025-08-20-03-04-35.jpg)