ପାଟ୍ରୋଲିଙ୍ଗ୍‌ ପଏଣ୍ଟ୍‌ ୧୫ରୁ ସୈନ୍ୟ ପ୍ରତ୍ୟାହାର କରିପାରନ୍ତି ଭାରତ-ଚୀନ୍‌: ସରକାରୀସୂତ୍ର

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ପୂର୍ବଲଦାଖର ପାଟ୍ରୋଲିଙ୍ଗ୍‌ ପଏଣ୍ଟ୍‌ ୧୫ରୁ ଭାରତ ଓ ଚୀନ୍‌ ସୈନ୍ୟ ଅପସାରଣ କରିପାରନ୍ତି ବୋଲି ସରକାରୀସୂତ୍ରରୁ ସୂଚନା ମିଳିଛି। ଗତ ରବିବାର ଦିନ ଭାରତ-ଚୀନ୍‌ ମଧ୍ୟରେ ହୋଇଥିବା ୧୬ଶ ପର୍ଯ୍ୟାୟ କର୍ପସ୍‌ କମାଣ୍ଡର୍‌ସ୍ତରୀୟ ଆଲୋଚନା ଯୋଗୁଁ ଏହା ସମ୍ଭବପର ହୋଇଥିବା କଥା ସେମାନେ କହିଛନ୍ତି।

ସରକାରୀସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ସୈନିକମାନେ ‘ଫ୍ରିକ୍‌ସନ୍‌ ପଏଣ୍ଟ୍‌’ରୁ କରମ୍‌ ସିଂହ ପର୍ବତ ଆଡ଼କୁ ଚାଲିଯାଇ ପାରନ୍ତି। ସେହିପରି, ଚୀନ୍‌ ସୈନିକମାନେ ମଧ୍ୟ ‘ଫ୍ରିକ୍‌ସନ୍‌ ପଏଣ୍ଟ୍‌’ରୁ ଚୀନ୍‌ର ଉତ୍ତରାଞ୍ଚଳକୁ ଅପସରି ଯାଇ ପାରନ୍ତି। ସୈନ୍ୟ ଅପସାରଣ ପରେ ଉକ୍ତ ଅଞ୍ଚଳ ‘ବଫର୍‌ ଜୋନ୍‌’ ପରି ହୋଇପାରେ। ସେନା ଅଧିକାରୀମାନେ ପରେ ସେ ବିଷୟରେ ନିଷ୍ପତ୍ତି ଗ୍ରହଣ କରିବେ।

Image Courtesy of Redifflail

ଉଲ୍ଲେଖଯୋଗ୍ୟ, ୨୦୨୦ ମେ’ ମାସରୁ ପୂର୍ବ ଲଦାଖରେ ଚୀନ୍‌ ସେନା ବାସ୍ତବ ନିୟନ୍ତ୍ରଣ ରେଖାର ସ୍ଥିତାବସ୍ଥା ବଦଳାଇବାକୁ ଉଦ୍ୟମ କରିବା ପରଠାରୁ ଉଭୟ ଦେଶ ପାଟ୍ରୋଲିଙ୍ଗ୍‌ ପଏଣ୍ଟ୍‌ ୧୫ ନିକଟରେ ସୈନ୍ୟ ମୁତୟନ କରିଛନ୍ତି। ଫଳରେ ସେ ଅଞ୍ଚଳଟି ‘ଫ୍ରିକ୍‌ସନ୍‌ ପଏଣ୍ଟ୍‌’ ପାଲଟି ଯାଇଛି।

ସୂଚନାଯୋଗ୍ୟ, ସମସ୍ତ ଫ୍ରିକ୍‌ସନ୍‌ ପଏଣ୍ଟ୍‌ରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିମନ୍ତେ ଭାରତ ଚାହୁଁଛି। ସେଥିପାଇଁ ଭାରତ ୨୦୨୦ ମେ ୧୮ ତାରିଖ ପୂର୍ବରୁ ଉଦ୍ୟମ ଚଳାଇଛି।

ବର୍ଷେ ତଳେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରୁ ସୈନ୍ୟ ଅପସାରଣ କରାଯିବା ପରେ ଗୋଗ୍‌ରା ଅନ୍ତର୍ଗତ ‘ପାଟ୍ରୋଲ୍‌ ପଏଣ୍ଟ୍‌ ୧୭ଏ’ ସୀମିତ ସଂଖ୍ୟକ ସୈନିକ ରହିଥିଲେ। ପାଙ୍ଗୋଙ୍ଗ୍‌ ଦ୍ରଦ ତଟରୁ ମଧ୍ୟ ଭାରତ ଓ ଚୀନ୍‌ ସୈନିକ ଅପସାରଣ କରାଇଥିଲେ।

ଉଲ୍ଲେଖ‌ଯୋଗ୍ୟ, ୨୦୨୦ ମେ ମାସରେ ଉତ୍ତେଜନା ବୃଦ୍ଧି ପାଇବା ପରଠାରୁ ‘ଫ୍ଲାସ୍‌ ପଏଣ୍ଟ୍‌’ର ୧ କିଲୋମିଟର୍‌ ମଧ୍ୟରେ ଉଭୟ ଦେଶ ପ୍ରାୟ ୫୦ଜଣ ଲେଖାଏଁ ସୈନିକ ମୁତୟନ କରିଛନ୍ତି।

ସମ୍ବନ୍ଧିତ ଖବର