ଏଲଏସି ବିବାଦର ସମାଧାନ ଲାଗି ଭାରତ ଓ ଚୀନ ମଧ୍ୟରେ ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି : ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏକ ବକ୍ତବ୍ୟ ଜାରି କରିଛି । ଦ୍ୱିପାକ୍ଷିକ ସଂପର୍କକୁ ଆଗକୁ ବଢାଇବା ପାଇଁ ସୀମାରେ ଶାନ୍ତି ବଜାୟ ରହିବା ଜରୁରୀ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଦୁଇ ଦେଶ ମଧ୍ୟରେ ମିଲିଟାରୀ ସ୍ତରୀୟ ଆଲୋଚନାର କିଛି ଦିନ ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଏହି ବୟାନ ଆସିଛି । ଏଥିରେ କୁହାଯାଇଛି ସୀମାରେ ଦେଖାଯାଇଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇଦେଶ ମଧ୍ୟରେ ମିଲିଟାରୀ ସ୍ତରୀୟ ଓ କୂଟନୈତିକ ସ୍ତରୀୟ ଆଲୋଚନା ଜାରି ରହିଛି ।

ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଦୁଇଦେଶ ମଧ୍ୟରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମିଲିଟାରୀ ସ୍ତରୀୟ ଓ କୂଟନୈତିକ ସ୍ତରୀୟ ଆଲୋଚନା ଜାରି ରହିଛି । ଗତ ୬ ତାରିଖରେ ହୋଇଥିବା ମିଲିଟାରୀ କମାଣ୍ଡର ସ୍ତରୀୟ ଆଲୋଚନା ଏହାର ଏକ ଅଂଶ । ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଦୁଇ ଦେଶର ନେତୃବୃନ୍ଦଙ୍କ ମଧ୍ୟରେ ହୋଇଥିବା ରାଜିନାମାକୁ ପାଳନକରି ବିବାଦର ଯଥାଶୀଘ୍ର ସମାଧାନ କରାଯିବ ।

ଉତ୍ତେଜନା ହ୍ରାସ ପାଇଁ ଗତ ୬ ତାରିଖ ଦିନ ତିବ୍ଦତର ମୋଲଡୋଠାରେ ମିଲିଟାରୀ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା । ଏଥିରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଉତ୍ତେଜନା ହ୍ରାସ ପାଇଁ ଦୁଇପକ୍ଷ ରାଜି ହୋଇଥିଲେ । ଏହି ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ତରଫରୁ ମେଜର ଜେନେରାଲ ଲିଉ ଲିନ ଯୋଗ ଦେଇଥିଲେ । ଏହି ବୈଠକର ଫଳସ୍ୱରୂପ ଗତ ୯ ତାରିଖରେ ଚୀନ ଓ ଭାରତ ସେନା ପଛକୁ ଫେରିଥିଲେ ।

ସମ୍ବନ୍ଧିତ ଖବର