ନୂଆଦିଲ୍ଲୀ: ପରମାଣୁ ଅସ୍ତ୍ର ପ୍ରୟୋଗ କରି ୟୁକ୍ରେନ୍କୁ ଧ୍ବଂସ କରିବାରୁ ରୁଷ୍କୁ ସମ୍ଭବତଃ ଭାରତ ଓ ଚୀନ୍ କ୍ଷାନ୍ତ କରାଇଛନ୍ତି ବୋଲି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି।
ସେ କହିଛନ୍ତି, ଭାରତ ଓ ଚୀନ୍ ବିରୋଧ କରି ନ ଥିଲେ, ଯୁଦ୍ଧର ଅବସାନ ଘଟାଇବା ଲାଗି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ୟୁକ୍ରେନ୍ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ କରି ସାରିଥାଆନ୍ତେ।
ଯୁଦ୍ଧ କ୍ଷେତ୍ରରେ ଆଣବିକ ଅସ୍ତ୍ର ପ୍ରୟୋଗକୁ ବିରୋଧ କରିବାରେ ଆଜିକାଲି ରୁଷ୍ ଉପରେ ଭାରତ ଓ ଚୀନ୍ର ପ୍ରଭାବ ଟିକେ ଅଧିକ ରହିଛି ବୋଲି ‘ଜି୨୦’ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତକୁ ଆସିବା ଆଗରୁ ବ୍ଲିଙ୍କେନ୍ କହିଛନ୍ତି।
‘ଦି ଆଣ୍ଟ୍ଲାଟିକ୍’ ସହିତ କରିଥିବା ସାକ୍ଷାତ୍କାରରେ ବ୍ଲିଙ୍କେନ୍ କହିଛନ୍ତି, ସମ୍ଭବତଃ ପୁଟିନ୍ ଅକାରଣରେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ଥାଆନ୍ତେ। ମସ୍କୋରୁ ଖବର ଆସୁଛି ଯେ, କ୍ଷୁଦ୍ର ଆଣବିକ ଅସ୍ତ୍ର ପ୍ରୟୋଗ ପାଇଁ ବିଚାର ଚାଲିଛି। ତାହା ହିଁ ଚିନ୍ତାର କାରଣ।
ସେ ଆହୁରି ମଧ୍ୟ କହିଛନ୍ତି, ମୋର ମନେହୁଏ, ଆଜିକାଲି ଚୀନ୍ ଭଳି ଅନ୍ୟ ରାଷ୍ଟ୍ରମାନଙ୍କର ରୁଷ୍ ଉପରେ ଟିକେ ଅଧିକ ପ୍ରଭାବ ରହୁଛି। କିନ୍ତୁ, ଆଣବିକ ଅସ୍ତ୍ର ପ୍ରୟୋଗକୁ ସମ୍ପୂର୍ଣ୍ଣ ବିରୋଧ କରିବା ପାଇଁ ଭାରତ ଭଳି ଦେଶ ସିଧାସଳଖ ପୁଟିନ୍ଙ୍କ ସହିତ ଆଲୋଚନା କରିପାରିବେ। ଆମେ ଜାଣୁ ସେମାନେ ପୁଟିନ୍ଙ୍କୁ ଏ କଥା ଜଣାଇ ଦେଇଛନ୍ତି ଓ ସେମାନଙ୍କ କଥାର କିଛି ପ୍ରଭାବ ବି ରହିଛି।
ଏଥସହି ଆଣ୍ଟୋନି ବ୍ଲିଙ୍କେନ୍ ସ୍ବୀକାର କରିଛନ୍ତି ଯେ, ରୁଷ୍ ଓ ଭାରତର ସମ୍ପର୍କ ଅନେକ ଦଶନ୍ଧିର। କିନ୍ତୁ, ଏବେ ଭାରତ ଓ ଆମେରିକାର ସମ୍ପର୍କ ବି ସୁଧୁରିବାରେ ଲାଗିଛି ଓ ଫ୍ରାନ୍ସ୍ ସହିତ ମଧ୍ୟ ଭାରତର ଭାଗୀଦାରି ବଢ଼ିଲାଣି ବୋଲି ସେ କହିଛନ୍ତି।