ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ବିଗତ କିଛି ଦଶନ୍ଧିଧରି ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଦୁଇଦେଶ ଆଲୋଚନା ଆରମ୍ଭ କରିଛନ୍ତି । ଶନିବାରଦିନ ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇ ଏ ସଂପର୍କରେ ଆଲୋଚନା କରିଛନ୍ତି । ସୀମାରେ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି ବୋଲି ଜଣାପଡ଼ିଛି ।
ଏହି ଆଲୋଚନା ପାଇଁ ଓ୍ଵାଙ୍ଗ ଗତ ସେପ୍ଟେମ୍ବର ମାସରେ ଭାରତ ଆସିବାକୁ ଥିଲେ ମଧ୍ୟ ପରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।
ସୀମା ବିବାଦର ସମାଧାନ ପାଇଁ ଦୁଇଦେଶ ସ୍ୱତନ୍ତ୍ର ପ୍ରତିନିଧି ଫ୍ରେମଓ୍ଵାର୍କ ମାଧ୍ୟମରେ ଆଲୋଚନା କରୁଛନ୍ତି । ଇତି ମଧ୍ୟରେ ୨୧ଥର ଆଲୋଚନା ହୋଇସାରିଲାଣି ।
ଭାରତ ଓ ଚୀନ ମଧ୍ୟରେ ପ୍ରାୟ ୩୫୦୦ କିଲୋମିଟର ଲମ୍ବ ସୀମା ଥିବାବେଳେ ଗତ ଅନେକ ବର୍ଷ ହେଲା ଏହାକୁ ନେଇ ବିବାଦ ଚାଲିଆସିଛି । ୧୯୬୨ରେ ଏହାକୁ ନେଇ ଏକ ଯୁଦ୍ଧ ମଧ୍ୟ ହୋଇଯାଇଛି । ସୀମାକୁ ନେଇ ଦୁଇଦେଶର ସେନା ମୁହାଁମୁହିଁ ହେବା ଏକ ନିୟମିତ ଘଟଣା ।
ତେବେ ଏହି ବିବାଦର ସମାଧାନ କରି ସୀମାରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବାକୁ ଗତ କିଛି ବର୍ଷ ଧରି ଦୁଇ ଦେଶ ଉଦ୍ୟମ କରୁଛନ୍ତି । ଗତ ଅକ୍ଟୋବର ମାସରେ ତାମିଲନାଡ଼ୁରେ ଅନୁଷ୍ଠିତ ଚୀନ ରାଷ୍ଟ୍ରପତି ସି ଜିନ ପିଂ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଣ-ଔପଚାରିକ ଆଲୋଚନାରେ ସୀମା ବିବାଦର ସମାଧାନ ପାଇଁ ଦୁଇଦେଶ ରାଜି ହୋଇଥିଲେ ।