ଉତ୍ତେଜନା ହ୍ରାସ ପାଇଁ ମଙ୍ଗଳବାର ପୁଣି ଆଲୋଚନା କରିବେ ଭାରତ ଓ ଚୀନର ସେନା କମାଣ୍ଡର

ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଉତ୍ତେଜନା ହ୍ରାସ ଲାଗି ଦୁଇ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ସ୍ତରୀୟ ଆଲୋଚନା ଜାରି ରହିଛି । ପୂର୍ବରୁ ଦୁଇପକ୍ଷ ମଧ୍ୟରେ ଦୁଇଥର ଆଲୋଚନା ହୋଇଥିବାବେଳେ ଆସନ୍ତା କାଲି ସେନା କମାଣ୍ଡର ସ୍ତରରେ ଆଉ ଏକ ଆଲୋଚନା ହେବାର ଅଛି ।

ପୂର୍ବରୁ ଜୁନ ୬ ଓ ଜୁନ ୨୨ରେ ପ୍ରକୃତ ନିୟନ୍ତ୍ରଣ ରେଖା ସେପଟେ ଥିବା ମୋଲଡୋଠାରେ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା କାଲି (ମଙ୍ଗଳବାର) ହେବାକୁ ଥିବା ଆଲୋଚନା ନିୟନ୍ତ୍ରଣରେଖା ଏପଟେ (ଭାରତୀୟ ପଟେ) ଥିବା ଚୁସୁଲଠାରେ ଅନୁଷ୍ଠିତ ହେବ ।
ଉତ୍ତେଜନା ହ୍ରାସ ପାଇଁ ଗତ ୬ ତାରିଖ ଦିନ ଦୁଇଦେଶର ମିଲିଟାରୀ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା । ଏଥିରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଉତ୍ତେଜନା ହ୍ରାସ ପାଇଁ ଦୁଇପକ୍ଷ ରାଜି ହୋଇଥିଲେ । ଏହି ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ତରଫରୁ ମେଜର ଜେନେରାଲ ଲିଉ ଲିନ ଯୋଗ ଦେଇଥିଲେ । ଏହି ବୈଠକର ଫଳସ୍ୱରୂପ ଗତ ୯ ତାରିଖରେ ଚୀନ ଓ ଭାରତ ସେନା ପଛକୁ ଫେରିଥିଲେ । ତେବେ ୧୫ ତାରିଖ ରାତିରେ ଏହି ବୁଝାମଣାକୁ ଜଳାଞ୍ଜଳି ଦେଇ ଚୀନ ସେନା ପୁଣି ଅନୁପ୍ରବେଶ ପାଇଁ ଉଦ୍ୟମ କରିବାରୁ ଦୁଇସେନାମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା ।
ସେହିପରି ୨୨ ତାରିଖରେ ହୋଇଥିବା ବୈଠକରେ ସେନା ପଛକୁ ଫେରାଇବାକୁ ସହମତି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ ।

ସମ୍ବନ୍ଧିତ ଖବର