ଭାରତ-ଚୀନ୍‌ ସଂପର୍କର ନୂଆ ଅଧ୍ୟାୟ : ମହାବଳୀପୁରମ୍‌ରେ ମୋଦୀ-ଜିନ୍‌ପିଙ୍ଗ

ଦ୍ବିପାକ୍ଷିକ ସଂପର୍କ ସୁଦୃଢ଼ ପାଇଁ ଗୁରୁତ୍ୱ, ଚୀନ୍‌ ସହ ମାମଲ୍ଲାପୁରମ୍‌ର ଦୀର୍ଘ ୧୭୦୦ ବର୍ଷର ସମ୍ପର୍କ

ମହାବଳୀପୁରମ୍‌: ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ଚେନ୍ନାଇ ପହଞ୍ଚିବା ପରେ ପ୍ରାଚୀନ ସହର ମହାବଳୀପୁରମ୍‌ (ମାମଲ୍ଲାପୁରମ୍‌)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିଛନ୍ତି। ଉଭୟ ନେତା ଆଜି ବାଣିଜ୍ୟ, ପୁଂଜିନିବେଶ ଏବଂ ଅନ୍ୟ କେତେକ ପ୍ରସଙ୍ଗରେ ଆଲୋଚନା କରିବା ସହ ଦ୍ବିପାକ୍ଷିକ ସଂପର୍କକୁ ଅଧିକ ବ୍ୟାପକ କରିବାକୁ ଗୁରୁତ୍ବାରୋପ କରିଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଉଭୟେ ଆଲୋଚନା କରିଥିବା ବିଦେଶ ସଚିବ ବିଜୟ ଗୋଖଲେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଆଜି ତାମିଲ ପାରମ୍ପରିକ ଧୋତି, ହାଫ୍‌ ସାର୍ଟ ଏବଂ କାନ୍ଧରେ ଅଙ୍ଗବସ୍ତ୍ର ସହ ଦେଖିବାକୁ ମିଳିଥିଲା। ଏହି ପରିଧାନରେ ସେ ଜିନ୍‌ପିଙ୍ଗଙ୍କୁ ସ୍ବାଗତ କରିଥିଲେ। ଏହା ପୂର୍ବରୁ ଚେନ୍ନାଇ ବିମାନ ବନ୍ଦରରେ ଜିନ୍‌ପିଙ୍ଗ୍‌ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ମହାବଳୀପୁରମ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କୁ ପ୍ରଥମେ ଅର୍ଜୁନଙ୍କ ତପସ୍ୟାସ୍ଥଳୀ ଦେଖାଇବା ସହ ତାହାର ମହତ୍ବ ବୁଝାଇଥିଲେ। ସେଠାରେ ଦୁଇ ନେତା ଅନୌପଚାରିକ କଥାବାର୍ତ୍ତା ଜାରି ରଖି ପ୍ରାଚୀନ କୀର୍ତ୍ତିରାଜି ବୁଲି ଦେଖିଥିଲେ। ୨୫୦ ଟନ୍‌ର ଏକ ପ୍ରାଚୀନ ପଥର କିଭଳି ସନ୍ତୁଳନ ରକ୍ଷା କରି ରହିଛି ତାହା ଜିନ୍‌ପିଙ୍ଗଙ୍କୁ ମୋଦୀ ଦେଖାଇବା ସହ ତାଙ୍କ ହାତ ଧରି ସେଠାକୁ ନେଇଥିଲେ। ଏହାପରେ ମହାବଳୀପୁରମ୍‌ର ୟୁନେସ୍କୋ ହେରିଟେଜ ସାଇଟ୍‌କୁ ଦୁଇ ନେତା ଯାଇଥିଲେ। ଏହାକୁ ପଲ୍ଲବ ରାଜାମାନଙ୍କ ଦ୍ବାରା ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ସ୍ଥାପିତ କରାଯାଇଥିଲା। ସେଠାରେ ମୋଦୀ ଜିନ୍‌ପିଙ୍ଗଙ୍କୁ ପଥର ନିର୍ମିତ ‘ପଂଚରଥ’ର ଇତିହାସ ସଂପର୍କରେ କହିଥିଲେ। ଏହାପରେ ଦୁଇ ନେତା ସମୁଦ୍ର ତଟରେ ଅବସ୍ଥିତ ବିଶ୍ବ ପ୍ରସିଦ୍ଧ ସୋର୍‌ ମନ୍ଦିର ଯାଇଥିଲେ। ସୋର୍‌ ମନ୍ଦିରର ଇତିହାସ ସଂପର୍କରେ ପ୍ରଧାନମନ୍ତ୍ରୀ ଜିନ୍‌ପିଙ୍ଗଙ୍କୁ ବୁଝାଇଥିଲେ। ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୋର୍‌ ମନ୍ଦିରରେ ଜିନ୍‌ଫିଙ୍ଗଙ୍କୁ ସ୍ବାଗତ କରିଥିଲେ। ସନ୍ଧ୍ୟାରେ ମୋଦୀ ଏବଂ ଜିନ୍‌ପିଙ୍ଗ୍‌ ସୋର୍‌ ମନ୍ଦିର ପରିସରରେ କଳାକ୍ଷେତ୍ର ଫାଉଣ୍ଡେସନ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜିନ୍‌ପିଙ୍ଗ୍‌ଙ୍କୁ ତଂଜାଭୁର୍‌ ପେଣ୍ଟିଂ ଏବଂ ‘ଅନ୍ନମ ଦୀପ’ ଉପହାର ଦେଇଥିଲେ। ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଏବଂ ମୋଦୀଙ୍କ ମଧ୍ୟରେ ଆସନ୍ତାକାଲି ୨ ପର୍ଯ୍ୟାୟରେ ମୋଟ ୬ ଘଣ୍ଟାର ବୈଠକ ଅନୁଷ୍ଠିତ ହେବ। ଏହାପରେ ଉଭୟ ଦେଶ ମିଳିତ ବିବୃତି ଜାରି କରିବେ। ମୋଦୀ-ଜିନ୍‌ପିଙ୍ଗ୍‌ ଦ୍ବିତୀୟ ଅନୌପଚାରିକ ସମ୍ମିଳନୀ ସହିତ ଭାରତ-ଚୀନ୍‌ ସଂପର୍କରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆଜି ଜିନ୍‌ପିଙ୍ଗ୍‌ ଚେନ୍ନାଇରେ ପହଞ୍ଚିବା ପରେ ତାଙ୍କୁ ଏୟାରପୋର୍ଟରେ ଜିନ୍‌ପିଙ୍ଗ୍‌ଙ୍କୁ ତାମିଲନାଡ଼ୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ବାମୀ, ଉପମୁଖ୍ୟମନ୍ତ୍ରୀ ଓ ପନିରସେଲ୍‌ଭମ ସ୍ବାଗତକରିଥିଲେ। ଏୟାରପୋର୍ଟରେ ଜିନ୍‌ପିଙ୍ଗଙ୍କ ସ୍ବାଗତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥିଲା।

ଚୀନ୍‌ ସହ ମାମଲ୍ଲାପୁରମ୍‌ର ଦୀର୍ଘ ୧୭୦୦ ବର୍ଷର ସମ୍ପର୍କ
ଚେନ୍ନାଇ: ପ୍ରାଚୀନ ସହର ମାମଲ୍ଲାପୁରମ୍‌ (ମହାବଳୀପୁରମ୍‌)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଦ୍ବିତୀୟ ଅନୌପଚାରିକ ସମ୍ମିଳନୀ ହେଉଛି। ମମଲ୍ଲାପୁରମ୍‌ର ଚୀନ୍‌ ସହ ଦୀର୍ଘ ୧୭୦୦ ବର୍ଷର ସମ୍ବନ୍ଧ। ମାମଲ୍ଲାପୁରମ୍‌ ପୂର୍ବରୁ ମହାବଳୀପୁରମ୍‌ ଭାବେ ପରିଚିତ ଥିଲା। ଚୋ‌ଳ ଏବଂ ପଲ୍ଲବ ରାଜବଂଶ ସମୟରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ବନ୍ଦର ଥିଲା। ଏଠାରେ ବିଶ୍ବ ଐତିହ୍ୟ ତାଲିକାଭୁକ୍ତ ବିଭିନ୍ନ ପଥର ମନ୍ଦିର ଏବଂ ଗୁମ୍ଫା ରହିଛି। ପ୍ରଥମ ଏବଂ ଦ୍ବିତୀୟ ଶତାବ୍ଦୀର ସେଲାଡନ୍‌ ୱେର୍‌ ତଥା ମାଟିପାତ୍ର ତାମିଲନାଡ଼ୁର ପୂର୍ବ ଉପୂକଳରୁ ମିଳିଥିଲା। ଚୀନ୍‌ ପରିବ୍ରାଜକ ହୁଏନ୍‌ସା ମଧ୍ୟ ସଙ୍ଗମ ଯୁଗ ସମୟରେ ମାମଲ୍ଲାପୁରମ୍‌ ଦେଇ ବୌଦ୍ଧ ଧର୍ମର ଏକ ପ୍ରମୁଖ କେନ୍ଦ୍ରସ୍ଥଳ କାଂଚିପୁରମ୍‌ରେ ପହଞ୍ଚିଥିଲେ ବୋଲି କୁହାଯାଉଛି। ମାମଲ୍ଲାପୁରମ୍‌ରେ ଥିବା ଅନେକ ପ୍ରସ୍ତର ସ୍ମାରକ ଅସମ୍ପୂର୍ଣ୍ଣ ହୋଇ ରହିଛି। କିଛି ବିଶେଷଜ୍ଞ ଆକଳନ କରୁଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏହି କାର୍ଯ୍ୟ ବନ୍ଦ ରହିଥିଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ସଂପୂର୍ଣ୍ଣ କରିବା ଆଉ ସମ୍ଭବ ହୋଇନଥିଲା।

ଜିନ୍‌ପିଙ୍ଗ୍‌ଙ୍କ ଖାଦ୍ୟରେ ରସମ୍‌, ସମ୍ବର, ହାଲ୍‌ୱା

ମାମଲ୍ଲାପୁରମରେ ଜିନ୍‌ପିଙ୍ଗ୍‌ଙ୍କ ପାଇଁ ଆୟୋଜିତ ସ୍ବତନ୍ତ୍ର ଡିନର୍‌ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଦକ୍ଷିଣ ଭାରତୀୟ ଖାଦ୍ୟ ପରିବେଷଣ ହୋଇଥିଲା। ଏଥିରେ ଠକ୍କଲି ରସମ୍‌, ସମ୍ବର, କଦଳି କୁର୍ମା ଏବଂ ବନାରସୀ ହାଲ୍‌ୱା ଆଦି ପରସା ଯାଇଥିଲା। ଏହି ରାତ୍ରୀଭୋଜନରେ ଉଭୟ ଭାରତ ଓ ଚୀନ୍‌ରୁ ୮ ଜଣ ଲେଖାଏଁ ପ୍ରତିନିଧି ସାମିଲ ଥିଲେ।

ସମ୍ବନ୍ଧିତ ଖବର