ଏଲ୍‌ଏସି ଅଶାନ୍ତ: ସୀମାରେ ଭାରତ-ଚୀନ୍‌ ଶକ୍ତି ପ୍ରଦର୍ଶନ, ୩ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଆଜି

୧୦୦୦ରୁ ଅଧିକ ସୈନ୍ୟଦଳ ମୁତୟନ, ଭାରତ ମୁତୟନ କଲା ସ୍ବତନ୍ତ୍ର ପାର୍ବତ୍ୟ ବାହିନୀ

ନୂ୍ଆଦିଲ୍ଲୀ: ଲଦାଖ୍‌ର ଗଲୱାନ୍‌ ଘାଟି ସ୍ଥିତ ଏଲ୍‌ଏସିରେ ସ୍ଥିତି ଅଶାନ୍ତ ହୋଇପଡ଼ିଛି। ଏଲ୍‌ଏସିଠାରୁ ମାତ୍ର କିଛି ମିଟର ଦୂରରେ ଉଭୟ ଭାରତ ଏବଂ ଚୀନ୍‌ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଉଭୟ ପକ୍ଷରୁ ୧୦୦୦ରୁ ଅଧିକ ସୈନ୍ୟଦଳ ଏଲ୍‌ଏସି ନିକଟରେ ମୁତୟନ ହୋଇଛନ୍ତି। ବ୍ୟାପକ ଅସ୍ତ୍ରଶସ୍ତ୍ର ତଥା ତୋପ, ଯୁଦ୍ଧବିମାନ ଏବଂ ଟ୍ୟାଙ୍କ୍‌ ମଧ୍ୟ ମୁତୟନ ହୋଇଛି। ଜୁନ୍‌ ୧୫ ସଂଘର୍ଷ ପରେ ଉଭୟ ଭାରତ ଏବଂ ଚୀନ୍‌ ମଧ୍ୟରେ ଅନେକ ଉଚ୍ଚସ୍ତରୀୟ ସାମରିକ ବୈଠକ ହୋଇଛି କିନ୍ତୁ ସମାଧାନର କୌଣସି ନିଷ୍କର୍ସ ବାହାରିପାରିନି। ଏଲ୍‌ଏସିରେ ପୂର୍ବପରି ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଏଲ୍‌ଏସିରେ ଉତ୍ତେଜନା ଜାରି ରହିଥିବାବେଳେ ଭାରତ ଏହାର ସାମରିକ ନୀତିରେ ପରିବର୍ତ୍ତନ ଆଣିଛି। ଚୀନ୍‌ ଯଦି ଏହାର ଅତିକ୍ରମଣ ଉଦ୍ୟମ ଜାରି ରଖେ ତେବେ ଭାରତ ଏହାକୁ କଡ଼ା ଜବାବ ଦେବ। ଚୀନ୍‌କୁ ପଛକୁ ହଟାଇବା ପାଇଁ ଭାରତ ସ୍ବତନ୍ତ୍ର ଅପରେସନ୍‌ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି। ସେହିପରି ଭାରତ ଏହାର ସୈନିକଙ୍କୁ ଏଲ୍‌ଏସି‌‌ରେ ଗୁଳିଗୋଳା ବ୍ୟବହାର କରିବାପାଇଁ ମଧ୍ୟ ଅନୁମତି ଦେଇଛି।

ଅନ୍ୟପକ୍ଷେ ଚୀନ୍‌ର ଅତିକ୍ରମଣ ଉଦ୍ୟମ ଉପରେ କଡ଼ା ନଜର ରଖିବାପାଇଁ ଭାରତ ୩,୪୮୮ କିମି ଏଲ୍‌ଏସି ନିକଟରେ ଏହାର ସ୍ବତନ୍ତ୍ର ପାର୍ବତ୍ୟ ବାହିନୀକୁ ମୁତୟନ କରିଛି। ମିଳିଥିବା ସୂଚନାନୁଯାୟୀ ଯେକୌଣସି ଦିଗରୁ ପିଏଲ୍‌ଏ ପକ୍ଷରୁ ଅତିକ୍ରମଣ ଉଦ୍ୟମ କରାଗଲେ ଏଲ୍‌ଏସିକୁ ସୁରକ୍ଷା ଦେବାପାଇଁ ଭାରତୀୟ ସେନାବାହିନୀକୁ ପୂର୍ଣ୍ଣ କ୍ଷମତା ମିଳିଛି। ତେବେ ଅତିକ୍ରମଣ ଉଦ୍ୟମ ଉପରେ ନଜର ରଖିବେ ଭାରତର ସ୍ବତନ୍ତ୍ର ପାର୍ବତ୍ୟ ବାହୀନୀ। ଭାରତୀୟ ପାର୍ବତ୍ୟ ବାହିନୀ ଗରିଲା ଯୁଦ୍ଧ‌ ଏବଂ ସମୁଦ୍ର ପତ୍ତନଠାରୁ ଉଚ୍ଚ ଅଞ୍ଚଳରେ ଯୁଦ୍ଧ କରିବାପାଇଁ ପାଇଁ ଉଚ୍ଚ ତାଲିମ ନେଇଛନ୍ତି। ‌ସେମାନେ ଯେକୌଣସି ସ୍ଥିତିର ମୁକାବିଲା କରିପାରି‌‌ବେ। ତେବେ ପାର୍ବତ୍ୟ ଲଢ଼େଇ ଅତି କଷ୍ଟଦାୟକ। ଏଥିରେ ଅଧିକ ଜୀବନହାନୀ ହେବାର ବିପଦ ରହିଛି। ଏହାସତ୍ତ୍ବେ ଭାରତୀୟ ପାର୍ବତ୍ୟ ବାହିନୀ ଯେଉଁଭଳି ତାଲିମ ନେଇଛନ୍ତି‌ ସେମାନେ ସବୁସ୍ଥିତିର ମୁକାବିଲା କରିପାରିବେ ବୋଲି କୁହାଯାଇଛି।

୩ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଆଜି
ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଦେଖାଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ରୁଷିଆ ଆଗେଇ ଆସିଛି। ୩ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଏହି ଦେଶ ଡାକିଛି। ରୁଷିଆର ଆହ୍ବାନକ୍ରମେ ଆସନ୍ତକାଲି (ମଙ୍ଗଳବାର) ଏହି ବୈଠକ ଭିଡିଓ କନ‌ଫରେନ୍ସିଂ ମାଧ୍ୟମରେ ହେବ। ଏଥିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଭାଗନେବେ। ଏକ ସୂତ୍ରରୁ ଜଣାଯାଇଛି, ପ୍ରଥମେ ଏହି ବୈଠକରେ ଯୋଗଦେବାକୁ ଭାରତ ଆଗ୍ରହୀ ନଥିଲା। କିନ୍ତୁ ପରେ ମସ୍କୋର ଅନୁରୋଧ କ୍ରମେ ଭାରତ ଏଥିରେ ଯୋଗଦେବାକୁ ରାଜି ହୋଇଛି।

ସମ୍ବନ୍ଧିତ ଖବର