ଭାରତ ସହ ସମ୍ପର୍କରେ ସୁଧାର ଆସିବ

ଚୀନ୍‌ ବିଦେଶ ମନ୍ତ୍ରୀଙ୍କ ଇସାରା

ବେଜିଂ: ସାମ୍ପ୍ରତିକ ସ୍ଥିତିରେ ଦୁଇ ପଡ଼ୋଶୀ ଭାରତ ଓ ଚୀନ୍‌ ପରସ୍ପର ମଧ୍ୟରେ ରହିଥିବା ମତଭେଦ ଏବଂ କିଂକର୍ତ୍ତବ୍ୟବିମୂଢ଼ତାକୁ ଆଡ଼ କରି ବୁଝାମଣା ପାଇଁ ଆଗେଇ ଆସିବା ଉଚିତ। ବିଶ୍ୱରେ ରାଜନୈତିକ ପ୍ରେକ୍ଷାପଟ ଦିନକୁ ଦିନ ବଦଳୁଥିବା ବେଳେ ଉଭୟ ପକ୍ଷର ହିତ ପାଇଁ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ଜରୁରୀ ବୋଲି ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ୟି କହିଛନ୍ତି। ଭାରତର ହାତୀ ଏବଂ ଚୀନ୍‌ର ଡ୍ରାଗନ୍‌ ଆଉ ଲଢ଼େଇ ନକରି ନୃତ୍ୟଗୀତରେ ଆମୋଦିତ ହେବାର ସମୟ ଆସିଛି ବୋଲି ଓ୍ଵାଙ୍ଗ୍‌ କହିଛନ୍ତି। ସୁତରାଂ ଦୁଇଦେଶ ମଧ୍ୟରେ ଜାରି ତିକ୍ତ ସମ୍ପର୍କରେ ସୁଧାର ଆସିବ ବୋଲି ଓ୍ଵାଙ୍ଗ ପରୋକ୍ଷରେ ଇସାରା କରିଛନ୍ତି। ଗତବର୍ଷର ଡୋକଲାମ୍‌ ପରି ମୁହାଁମୁହିଁ ସ୍ଥିତି ପରେ ଦୁଇଦେଶ ମଧ୍ୟରେ ସମ୍ପର୍କ ଭୀଷଣ ଭାବରେ କ୍ଷୁଣ୍ଣ ହୋଇଥିବା ପରିପ୍ରେକ୍ଷୀରେ ଭାରତ ସହ କିଭଳି ବନ୍ଧୁତା ଆଶା କରାଯାଉଛି ପ୍ରଶ୍ନରେ ଓ୍ଵାଙ୍ଗ୍‌ ଏଭଳି ଆଶା ପୋଷଣ କରିଛନ୍ତି। କିଛି ଅପ୍ରୀତିକର ପରିସ୍ଥିତି ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ତଥାପି ବନ୍ଧୁତ୍ୱ ବଢ଼ିବାର ସମ୍ଭାବନା ଅଧିକ ଥିବା ଓ୍ଵାଙ୍ଗ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସୂଚନା ଥାଉ କି, ଗତବର୍ଷ ଏକାଧିକ କାରଣ ଯୋଗୁଁ ଭାରତ-ଚୀନ୍‌ ଦ୍ୱିପାକ୍ଷିକ ସମ୍ପର୍କ ଭୀଷଣ ଭାବରେ ପ୍ରଭାବିତ ହୋଇଛି। ଡୋକଲାମ୍‌ର ବିବାଦୀୟ କ୍ଷେତ୍ରରେ ଚୀନ୍‌ର ସେନା ଠୁଳ ଠାରୁ ଆରମ୍ଭ କରି ଚୀନ୍‌ ପାକିସ୍ତାନ ଅର୍ଥନୈତିକ ଅଳିନ୍ଦ(ସିପିଇସି)କୁ ଭାରତର ଅସହଯୋଗ, ଆତଙ୍କବାଦୀ ସଂଗଠନ ଜେଇଏମ୍‌ ମୁଖ୍ୟ ମାସୁଦ୍‌ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା ପାଇଁ ଭାରତର ଦାବି ସମେତ ଆଣବିକ ଯୋଗାଣକାରୀ ରାଷ୍ଟ୍ର ଦଳ(ଏନ୍‌ଏସ୍‌ଜି)ରେ ଭାରତର ପ୍ରବେଶକୁ ଚୀନ୍‌ର ବିରୋଧ ଭଳି ଘଟଣାରେ ଦୁଇଦେଶର ସମ୍ପର୍କ ଅହିନକୁଳ ସଦୃଶ ହୋଇପଡ଼ିଛି। ତେବେ ଏ ସବୁ ସତ୍ତ୍ୱେ ଦୁଇ ଦେଶ ନିଜର ମତଭେଦ ଏବଂ ମାନସିକ ବାରଣକୁ ଆଡ଼ କରି ପରସ୍ପର ଭେଟି ଆଲୋଚନା କରିବା ଜରୁରୀ ବୋଲି ଓ୍ଵାଙ୍ଗ କହିଛନ୍ତି। ଚୀନ୍‌ ସବୁବେଳେ ନିଜର ଅଧିକାର ଏବଂ ଯଥାର୍ଥ ସ୍ୱାର୍ଥ ବଜାୟ ରଖିବା ସହ ଭାରତ ସହ ସମ୍ପର୍କକୁ ସୁରକ୍ଷିତ ରଖିବା ଲାଗି ଆଗ୍ରହୀ। ତେବେ ଦୁଇଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିଲେ ଉଭୟଙ୍କ ପାଇଁ ମଙ୍ଗଳ ହେବ। ଉଭୟ ଭିତରେ ଲାଗି ରହିଥିବା ସଂଘର୍ଷ ଏବଂ ସନ୍ଦେହକୁ ଦୂର କରି ଦୁଇ ଦେଶ ପରସ୍ପର ଉପରେ ଭରସା ରଖିବାର ବେଳ ଆସିଛି। ବିଶ୍ୱର ଏହି ସର୍ବାଧିକ ଜନବହୁଳ ରାଷ୍ଟ୍ର ଦ୍ୱୟ ଯୋଡ଼ି ହୋଇଗଲେ ଏକ ଆଉ ଏକ ମିଶି ଦୁଇ ହେବା ବଦଳରେ ଏଗାର ହେବ ବୋଲି ଓ୍ଵାଙ୍ଗ୍‌ କହିଛନ୍ତି। ଓ୍ଵାଙ୍ଗଙ୍କ ଏଭଳି ମନ୍ତବ୍ୟ ଏବଂ ଆଶାପୋଷଣରୁ ଆଗକୁ ଭାରତ ସହ ଚୀନ୍‌ର ସମ୍ପର୍କ ଭିନ୍ନ ରୂପ ନେବ ବୋଲି କୂଚନୈତିକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର