ଭାରତ-ଚୀନ ସଂପର୍କ ଏବେ ସ୍ବାଭାବିକ ନାହିଁ : ଜୟଶଙ୍କର

ନୂଆଦିଲ୍ଲୀ : ଚୀନ ସହିତ ଭାରତର ସଂପର୍କ ସ୍ବାଭାବିକ ଅବସ୍ଥାରେ ନାହିଁ ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ।

ଶୁକ୍ରବାର ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍ ଇ’ଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ, ୧୯୯୩-୯୬ରେ ସ୍ବାକ୍ଷରିତ ଶାନ୍ତି ଓ ସଦ୍ଭାବ ଚୁକ୍ତିର ବିପରୀତ ସୀମାରେ ବିପୁଳ ସଂଖ୍ୟକ ସୈନ୍ୟଙ୍କ ଉପସ୍ଥିତି ଯୋଗୁଁ ଦୁଇ ଦେଶ ମଧ୍ୟରେ ସଂପର୍କ ସ୍ବାଭାବିକ ନାହିଁ । ଯେଉଁ ଦିନ ପର୍ଯ୍ୟନ୍ତ ସୀମାରେ ସୈନ୍ୟ ଥିବେ ସଂପର୍କରେ ସ୍ବାଭାବିକତା ଆସିବ ନାହିଁ ।

ଏବେ ବି ଦୁଇଦେଶ ମଧ୍ୟରେ କେତେକ ଉତ୍ତେଜନା ପ୍ରବଣ ଅଂଚଳ ରହିଛି । ତେବେ ପେଙ୍ଗାୟାଂ ସୋ ସମେତ କେତେକ ବିବାଦୀୟ ଅଂଚଳରେ ଥିବା ଉତ୍ତେଜନା ହ୍ରାସ ଦିଗରେ ସଫଳତା ମିଳିଛି । ଏହାକୁ କିପରି ଆଗେଇ ନିଆଯିବ ସେ ସଂପର୍କରେ ଆଜି ଆଲୋଚନା ହୋଇଥିଲା । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା ।

ଏହା ପୂର୍ବରୁ ଚୀନ ବିଦେଶ ମନ୍ତ୍ରୀ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଭେଟିଥିଲେ । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଜାରିରହିଥିବା ଉତ୍ତେଜନା ଉଭୟ ପକ୍ଷଙ୍କ ପାଇଁ ଶୁଭଙ୍କର ନୁହେଁ । ଏଣୁ ସୀମାରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଚୀନ ରାଜି ହୋଇଛି । ଖୁବ ଶୀଘ୍ର ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ ବୋଲି ଓ୍ବାଙ୍ଗ ଇ ପ୍ରତିଶ୍ରୁତି ଦେଇଛନ୍ତି ।

 

 

ସମ୍ବନ୍ଧିତ ଖବର