ଏଲଏସି ନିକଟରେ ଚୀନ ଲଢୁଆ ବିମାନ ଉଡ଼ାଣକୁ ନେଇ ଭାରତର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)  ନିକଟରେ ଚୀନ ଲଢୁଆ ବିମାନ ଦ୍ବାରା  ବାରମ୍ବାର ଭାରତୀୟ ବାୟୁସୀମା ଉଲ୍ଲଙ୍ଘନକୁ ଗୁରୁତ୍ବର ସହ ନେଇଛି ଭାରତ । ଚୀନ ସାମରିକ ବାହିନୀ ନିକଟରେ ଏହାକୁ ନେଇ ତୀବ୍ର ପ୍ରତିବାଦ ଜଣାଇଛି ଭାରତ ।

ଗତ ମଙ୍ଗଳବାରଦିନ ଅନୁଷ୍ଠିତ ଭାରତ-ଚୀନ ମିଲିଟାରୀ ସ୍ତରୀୟ ଆଲୋଚନାବେଳେ ଏହି ପ୍ରସଙ୍ଗ ଉଠାଇଥିଲା ଭାରତ । ଏହି ବୈଠକରେ ଭାରତୀୟ ସେନା ସହିତ ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ ଏୟାର କମୋଡର ଅମିତ ଶର୍ମା ଯୋଗ ଦେଇଥିଲେ । ଚୀନ ବାୟୁସେନାର ଜଣେ ସମାନ ପାହ୍ୟାର ଅଧିକାରୀ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଭାରତୀୟ ସେନା ପକ୍ଷରୁ ଫାୟାର ଏଣ୍ଡ ଫ୍ୟୁରି କୋରର ଲେପ୍ଚନାଣ୍ଟ ଜେନେରାଲ ଏ. ସେନଗୁପ୍ତା ଯୋଗ ଦେଇଥିଲେ ।

ଲଦାଖ ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ର କେତେକ ଅଂଚଳରେ  ଭାରତ ଓ ଚୀନର ସେନା ମୁତୟନ ଅଛନ୍ତି । ଉତ୍ତେଜନାକୁ ହ୍ରାସ ପାଇଁ ଉଭୟ ପକ୍ଷ ମଧ୍ୟରେ ବାରମ୍ବାର ଆଲୋଚନା ଚାଲିଥିବାବେଳେ ଚୀନ ବାୟୁସେନାର ଲଢୁଆ ବିମାନ ବାରମ୍ବାର ଏହି ଅଂଚଳରେ ଉଡ଼ିବା ସ୍ଥିତିକୁ ଚିନ୍ତାଜନକ ସ୍ତରକୁ ନେଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଏହି ଅଂଚଳରେ ଏସ-୪୦୦ ମୁତୟନ ପାଇଁ ଯୋଜନା କରୁଛି । ଏହାଛଡ଼ା ସମାନ ସଂଖ୍ୟକ ଲଢୁଆ ବିମାନକୁ ପ୍ରସ୍ତୁତ ରଖିଛି ଭାରତ ।

ଦୁଇପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏଲଏସିର ୧୦ କିଲୋମିଟର ମଧ୍ୟରେ ଲଢୁଆ ବିମାନ ଉଡ଼ାଯାଇପାରିବ ନାହିଁ । କିନ୍ତୁ ଚୀନ ଜାଣିଶୁଣି ଏହାର ଉଲ୍ଲଙ୍ଘନ କରିଚାଲିଛି ।

 

ସମ୍ବନ୍ଧିତ ଖବର