ଗୋଗ୍ରା ହଟସ୍ପ୍ରିଙ୍ଗରୁ ଭାରତ, ଚୀନ ପକ୍ଷରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ

ନୂଆଦିଲ୍ଲୀ : ଲଦାଖର ଗୋଗ୍ରା-ହଟ ସ୍ପ୍ରିଙ୍ଗ ଅଂଚଳର ପେଟ୍ରୋଲ ପଏଣ୍ଟ-୧୫ରୁ ଚୀନ ଓ ଭାରତୀୟ ସେନା ସଂପୂର୍ଣ୍ଣଭାବେ ପଛକୁ ହଟିଯାଇଛନ୍ତି ବୋଲି ଜଣାପଡ଼ିଛି । ଏହା ସହିତ ଉକ୍ତ ଅଂଚଳରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ସାମରିକ ଭିତ୍ତିଭୂମିକୁ ଭାଙ୍ଗିଦିଆଯାଇଛି ।  ତେବେ ଲଦାଖର ଆଉ କେତେକ ଅଂଚଳରେ ଏବେ ବି ଚୀନ ସୈନ୍ୟ ଅଛନ୍ତି ।

ଦୁଇ ସେନା ମଧ୍ୟରେ ହୋଇଥିବା ସହମତି ଅନୁସାରେ ଗତ ୮ ତାରିଖରୁ ଏହି ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଥିଲା ଓ ୧୨ ତାରିଖରେ ଶେଷ ହୋଇଥିଲା । ମଙ୍ଗଳବାରଦିନ ଉଭୟ ଦେଶର ସେନା ପକ୍ଷରୁ ପରସ୍ପରର ସୈନ୍ୟ ପ୍ରତ୍ୟାହାରର ପର୍ଯ୍ୟବେକ୍ଷଣ କରାଯାଇଥିଲା । ଏହା ସହିତ ସୈନ୍ୟପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡ଼ିଛି ।

ଗତ ସପ୍ତାହ ଗୁରୁବାରଦିନ ଉଭୟ ସେନା ପକ୍ଷରୁ ଏକ ମିଳିତ ବୟାନ ଜାରି କରି କୁହାଯାଇଥିଲା ଯେ ଗୋଗ୍ରା ଓ ହଟସ୍ପ୍ରିଙ୍ଗ ଇଲାକାର ପେଟ୍ରୋଲ ପଏଣ୍ଟ-୧୫ରୁ ସୈନ୍ୟ ପ୍ରତାହାର ପାଇଁ ସହମତି ହୋଇଛି । ବିଶେଷକରି ଚୀନ ସେନା ୨୦୨୦ର ପୂର୍ବସ୍ଥିତିକୁ ଫେରିଯିବାକୁ ରାଜି ହୋଇଛି । ଏହା ସହିତ ପେଙ୍ଗାଙ୍ଗ ହ୍ରଦଠାରୁ କିଛି ବାଟ ଦୂରକୁ ଯିବାକୁ ଚୀନ ରାଜି ହୋଇଛି ।

ଏହି ମିଳିତ ବୟାନରେ କୁହାଯାଇଛି ଯେ ଏହି ସୈନ୍ୟ ପ୍ରତ୍ୟାହାର ଦ୍ବାରା ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଶାନ୍ତି ଓ ସ୍ଥିରତା ବିରାଜମାନ କରିବ ।

ଗତ ୨୦୨୦ ଜୁନ ମାସରେ ଲଦାଖର ଗଲଓ୍ବାନ ଉପତ୍ୟାକାରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ହେବା ପରେ ଉଭୟ ଦେଶର ସେନା ଲଦାଖର ବିଭିନ୍ନ ଅଂଚଳରେ ଆମନା ସାମନା ରହିଥିଲେ ।

ସମ୍ବନ୍ଧିତ ଖବର