ଭାରତ-ଚୀନ ମଧ୍ୟରେ ୨ୟ ମିଲିଟାରୀ କମାଣ୍ଡରସ୍ତରୀୟ ଆଲୋଚନା ଶେଷ, ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷ ରାଜି

ଲେହ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ସାମରିକ କମାଣ୍ଡର ସ୍ତରୀୟ ୨ୟ ବୈଠକ ସକାରାତ୍ମକଭାବେ ଶେଷ ହୋଇଛି ।  ଏହି ବୈଠକରେ ଦୁଇଦେଶର ମେଜର ଜେନେରାଲ ସ୍ତରୀୟ ସାମରିକ କମାଣ୍ଡରମାନେ ଯୋଗ ଦେଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବା, ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି ।

ଉତ୍ତେଜନା ହ୍ରାସ ପାଇଁ ଗତ ୬ ତାରିଖ ଦିନ ଦୁଇଦେଶର ମିଲିଟାରୀ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା । ଏଥିରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଉତ୍ତେଜନା ହ୍ରାସ ପାଇଁ ଦୁଇପକ୍ଷ ରାଜି ହୋଇଥିଲେ । ଏହି ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ତରଫରୁ  ମେଜର ଜେନେରାଲ ଲିଉ ଲିନ ଯୋଗ ଦେଇଥିଲେ । ଏହି ବୈଠକର ଫଳସ୍ୱରୂପ ଗତ ୯ ତାରିଖରେ ଚୀନ ଓ ଭାରତ ସେନା ପଛକୁ ଫେରିଥିଲେ ।

କେବଳ ସାମରିକ କମାଣ୍ଡର ସ୍ତରରେ ନୁହେଁ, କୂଟନୈତିକ ସ୍ତରରେ ମଧ୍ୟ କଥାବାର୍ତ୍ତା ଚାଲିଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଓ ଚୀନ କମ୍ୟୁନିଷ୍ଟ ପାର୍ଟିର ପଲିଟିବ୍ୟୁରୋ ସଦସ୍ୟ ୟାଂ ଜେଇଚିଙ୍କ ମଧ୍ୟରେ ଟେଲିଫୋନ ଆଲୋଚନା ହୋଇଛି ।

ସମ୍ବନ୍ଧିତ ଖବର