ପାଶ୍ଚାତ୍ୟ ଶକ୍ତିଙ୍କୁ ଦାୟୀ କରି ଭାରତ-ଚୀନ୍‌ ବିବାଦକୁ ନୂଆ ମୋଡ଼ ଦେଲା ରୁଷ୍‌

ନୂଆଦିଲ୍ଲୀ: ‘ଭାରତ-ପ୍ରଶାନ୍ତ ମହାସାଗରୀୟ ଯୋଜନା’କୁ ସମର୍ଥନ କରି ପାଶ୍ଚାତ୍ୟ ଶକ୍ତିମାନେ ଭାରତକୁ ଚୀନ୍‌ ବିରୋଧୀ କାର୍ଯ୍ୟକଳାପରେ ନିୟୋଜିତ କରିବାକୁ ଏକ ଉଗ୍ର ଏବଂ ଅସାଧୁ ନୀତି ଅବଲମ୍ବନ କରିଛନ୍ତି ବୋଲି ରୁଷ୍‌ର ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭରୋଭ୍‌ ଦାବି କରିଛନ୍ତି।

ଗତ ଛଅ ମାସରୁ ଊର୍ଦ୍ଧ୍ୱ ହେବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ଚାଲିଥିବା ବେଳେ ଲାଭରୋଭ୍‌ ଏଭଳି ବିବୃତି ଦେଇଛନ୍ତି।

Image Corutesy of The Indian Express

ଲାଭରୋଭ୍‌ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଭାରତ ସହ ରୁଷ୍‌ର ନିବିଡ଼ ସହଯୋଗିତା ଏବଂ ସମୃଦ୍ଧ ସମ୍ପର୍କକୁ ନଷ୍ଟ କରିବାକୁ ପାଶ୍ଚାତ୍ୟ ଶକ୍ତିମାନେ ଉଦ୍ୟମ କରୁଛନ୍ତି।
ଲାଭରୋଭ୍‌ କହିଛନ୍ତି, ଉଦାହରଣ ଭାବେ ତଥାକଥିତ ‘ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଯୋଜନା’କୁ ନିଆଯାଇ ପାରେ। ପାଶ୍ଚାତ୍ୟ ଶକ୍ତି ଏହି ଉଗ୍ର ଏବଂ ପ୍ରବଞ୍ଚନାଯୁକ୍ତ ନୀତିର ପ୍ରସାର କରି ଭାରତକୁ ଚୀନ୍‌ ବିରୋଧୀ କାର୍ଯ୍ୟକଳାପରେ ନିୟୋଜିତ କରିଛି। ଏଥିସହ ପାଶ୍ଚାତ୍ୟ ନୀତି ମଧ୍ୟ ଭାରତୀୟମାନଙ୍କ ସହ ଆମର ନିବିଡ଼ ଭାଗିଦାରୀ, ସାମରିକ ସହଯୋଗ ଏବଂ ସମୃଦ୍ଧ ସମ୍ପର୍କକୁ ଦୁର୍ବଳ କରୁଛନ୍ତି। ରୁଷ୍‌ ସହ ଭାରତର ସାମରିକ ବୈଷୟିକ ସହଯୋଗିତା ସଂକ୍ରାନ୍ତରେ ଆମେରିକୀୟମାନେ ନୂଆଦିଲ୍ଲୀ ଉପରେ ଭୀଷଣ ଚାପ ପକାଇବା ଚିନ୍ତାର କାରଣ ପାଲଟିଛି।

ମଙ୍ଗଳବାର ଦିନ ‘ରଷିଆନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଆଫେୟାର୍ସ କାଉନ୍‌ସିଲ୍‌’ର ଏକ ସାଧାରଣ ସଭାରେ ଭାଷଣ ଦେବା ବେଳେ ରୁଷ୍‌ର ଏହି ବରିଷ୍ଠ ନେତାଜଣକ ଏଭଳି ବିବୃତି ଦେଇଛନ୍ତି। ଭାରତ ଓ ଚୀନ୍‌ ମଧ୍ୟରେ ବଢ଼ି ଚାଲିଥିବା ଉତ୍ତେଜନାର ସମାଧାନ ଲାଗି ମସ୍କୋ ଉଦ୍ୟମ କରୁଥିବାରୁ ଲଭରୋଭ୍‌ଙ୍କ ଏହି ବିବୃତି ଗୁରତ୍ୱ ବହନ କରୁଛି।

ସମ୍ବନ୍ଧିତ ଖବର