ଲଦାଖର ଗୋଗ୍ରା ଶିଖରରୁ ସୈନ୍ୟ ପ୍ରତ୍ୟାହାର କଲେ ଚୀନ ଓ ଭାରତ

ନୂଆଦିଲ୍ଲୀ : ଲଦାଖର ଗୋଗ୍ରା ଶିଖରରୁ ଭାରତ ଓ ଚୀନ ନିଜ ନିଜର ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ଗତ ଶନିବାରଦିନ ତିବ୍ବତର ମୋଲଡୋରେ ହୋଇଥିବା ୧୨ତମ କୋର୍ କମାଣ୍ଡରସ୍ତରୀୟ ବୈଠକରେ ଏନେଇ ସହମତି ହୋଇଥିଲା । ଏହି ସହମତି ସଂପର୍କରେ ଗତ ୩ ତାରିଖରେ ଦୁଇଦେଶ ଏକ ମିଳିତ ଘୋଷଣାନାମା ପ୍ରକାଶ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ , ଗତ ୪ ଓ ୫ ତାରିଖରେ  ଦୁଇ ଦେଶର ସୈନ୍ୟ ନିଜ ନିଜର ସ୍ଥାୟୀ ବାରାକକୁ ଫେରିବା ଆରମ୍ଭ କରିଥିଲେ ।

ଗତ ଫେବ୍ରୁଆରିମାସରେ ଗଲଓ୍ବାନ ଓ ପେଙ୍ଗଙ୍ଗ ହ୍ରଦ ଅଂଚଳରୁ ହୋଇଥିବା ସୈନ୍ୟପ୍ରତ୍ୟାହାର ପରେ ଏହା ହେଉଛି ୩ୟ ସୈନ୍ୟ ପ୍ରତ୍ୟାହାର । ତେବେ ହଟସ୍ପ୍ରିଙ୍ଗ୍, ଦେପସାଙ୍ଗ୍, ଡେମଚୋକରେ ଏବେ ବି ଚୀନ ସୈନ୍ୟ ଅଛନ୍ତି । ସେଠାରୁ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଏବେ ବି କୌଣସି ନିଷ୍ପତ୍ତି ହୋଇନଥିବା ଜଣାଯାଇଛି ।

ଗତ ବର୍ଷ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ଏହା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଥିଲା । ତେବେ ଦୁଇ ପକ୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ପରେ ଗତ ଫେବ୍ରୁଆରିମାସରେ ପେଙ୍ଗାଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଗୋଗ୍ରା ଶିଖର, ହଟ ସ୍ପ୍ରିଙ୍ଗ ଓ ଦେପସାଙ୍ଗ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ହୋଇପାରି ନଥଲା ।

ସମ୍ବନ୍ଧିତ ଖବର