ଜି-୨୦ ସମ୍ମିଳନୀ ଆରମ୍ଭ: ଆମେରିକାକୁ ଘେରିଲେ ଭାରତ, ଚୀନ

ଓସାକା: ଜାପାନର ଓସାକାଠାରେ ଆଜିଠାରୁ ଜି-୨୦ ଶୀର୍ଷ ନେତୃବୃନ୍ଦଙ୍କ ୨ ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ପାଇଁ ପ୍ରାଥମିକତା ହେଉଛି ବାଣିଜ୍ୟ। ତେବେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛନ୍ତି ଭାରତ,ଚୀନ, ଜାପାନ ଏବଂ ରୁଷ ସମେତ ଅନ୍ୟ ଦେଶ। ଆମେରିକା ଆରମ୍ଭ କରିଥିବା ବାଣିଜ୍ୟ ସୁରକ୍ଷାବାଦ ଉପରେ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗ୍ ଦୃଢ଼ ସ୍ବର ଉଠାଇଛନ୍ତି। ସେ କହିଛନ୍ତି, ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ୍‌’ ନୀତି ଅନୁଯାୟୀ ଚୀନ ଏବଂ ଭାରତରୁ କରାଯାଉଥିବା ରପ୍ତାନି ଉପରେ ଆମେରିକା ଶୁଳ୍କ ବୃଦ୍ଧି କରିଛି। ଚୀନ୍ ସହିତ ଆମେରିକାର ବାଣିଜ୍ୟ ଯୁଦ୍ଧ ସାଂଘାତିକ ରୂପ ନେଇଛି। ବିକଶିତ ଦେଶଗୁଡ଼ିକ ଯେଉଁ ପ୍ରକାର ବାଣିଜ୍ୟ କଟକଣା କାର୍ଯ୍ୟକାରୀ କରୁଛନ୍ତି ତାହାଦ୍ବାରା ସବୁ ଦେଶ କ୍ଷତି ସହୁଛନ୍ତି। ଏଥିଯୋଗୁ ସମଗ୍ର ବିଶ୍ବରେ ଶାନ୍ତି ଏବଂ ସ୍ଥିରତା ବାଧାପ୍ରାପ୍ତ ହେଉଛି ବୋଲି ଜିନପିଙ୍ଗ କହିଛନ୍ତି।

ଚୀନ୍ ସମେତ ଭାରତ, ରୁଷ ଓ ଜାପାନ ବହୁପାକ୍ଷିକ ବାଣିଜ୍ୟ ବ୍ୟବସ୍ଥା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ଆମେରିକା ଯେଉଁ କଟକଣାମୂଳକ ବାଣିଜ୍ୟ ନୀତି ଆପଣେଇଛି ତାହାକୁ ଏହି ଦେଶ ଗୁଡ଼ିକ ଘୋର ବିରୋଧ କରିଥିଲେ। ଏ କ୍ଷେତ୍ରରେ ଆମେରିକା ଏକୁଟିଆ ହୋଇଯାଇଛି। ଜି-୨୦ ବୈଠକ ଅବସରରେ ଟ୍ରମ୍ପ, ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ମଧ୍ୟ ହୋଇଛି। ଏହି ଅବସରରେ ବ୍ରାଜିଲ, ରୁଷ, ଭାରତ, ଚୀନ, ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ନେତୃବୃନ୍ଦଙ୍କ ମଧ୍ୟରେ ଅନେକ ବିଷୟରେ ଆଲୋଚନା ହୋଇଛି। ମୋଦୀଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବା ପୂର୍ବରୁ ଟ୍ରମ୍ପ କହିଥିଲେ ଆମେ କିଛି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଉଛେ। ଆମେ ବଡ଼ ବାଣିଜ୍ୟ କାରବାର କରିପାରିବା। ବାଣିଜ୍ୟ ଏବଂ ମ୍ୟାନୁଫାକଚରିଂ କ୍ଷେତ୍ରରେ ଆମେ ଭାରତ ସହିତ ବଡ଼ଧରଣର କାର୍ଯ୍ୟ କରୁଛୁ ବୋଲି ଟ୍ରମ୍ପ କହିଥିଲେ। ଆସନ୍ତାକାଲି ଟ୍ରମ୍ପ ଏବଂ ଜନିପିଙ୍ଗଙ୍କ ମଧ୍ୟରେ ବୈଠକ ହେବାର ରହିଛି। ଏହି ଅବସରରେ ଚୀନ ସହିତ ଆମେରିକାରା ରହିଥିବା ବାଣିଜ୍ୟ ବିବାଦ ଏବଂ ଚୀନର ହୁୱାଇ କମ୍ପାନି ଦ୍ବାରା ୫ଜି ସେବା ପ୍ରଦାନ ସମ୍ପର୍କିତ ବିବାଦ ଉପରେ ଆଲୋଚନା ହେବା ଆଶା ରହିଛି।

ମୋଦୀଙ୍କ ‘୫-ଆଇ’ ସୂତ୍ର
ଓସାକା: ଜି-୨୦ ସମ୍ମିଳନୀରେ ସାମାଜିକ ଲାଭ ପାଇଁ ଡିଜିଟାଲ ପ୍ରଯୁକ୍ତି ଉପରେ ଆୟୋଜିତ ଏକ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘୫-ଆଇ’ ସୂତ୍ର ପ୍ରଦାନ କରିଛନ୍ତି। ସେହି ୫ଟି ଯାକ ‘ଆଇ’ ହେଲା ଇନକ୍ଲୁସିଭନେସ୍ ବା ଅନ୍ତର୍ଭୁକ୍ତୀକରଣ, ଇଣ୍ଡିଜିନାଇଜେନ୍ ବା ସ୍ବଦେଶୀକରଣ, ଇନୋଭେସନ ବା ନବୀନତା, ଇନଭେଷ୍ଟମେଣ୍ଟ ଇନ୍ ଇନ୍‌ଫ୍ରାଷ୍ଟ୍ରକଚର ବା ଭିତ୍ତିଭୂମିରେ ନିବେଶ ଏବଂ ଇଣ୍ଟରନ୍ୟାସନାଲ କୋଅପରେସନ ବା ଅନ୍ତର୍ଜାତୀୟ ସହଯୋଗ। ଏହି ଆଲୋଚନାରେ ଭାଗନେବା ପୂର୍ବରୁ ମୋଦୀ ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଯୁକ୍ତି କ୍ଷମତାର ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର