ଜେନେଭା: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଯେ ଭାରତ ଓ ଚୀନ୍ ସୀମାରୁ ୭୫ ପ୍ରତିଶତ ସୈନ୍ୟ ପ୍ରତ୍ୟାହାର କରିଛନ୍ତି ଏବଂ ବେଜିଂ ସହ ସୀମା ଆଲୋଚନାରେ କିଛି ଅଗ୍ରଗତି ହୋଇଛି। ଜେନେଭା ସେଣ୍ଟର୍ ଫର୍ ସିକ୍ୟୁରିଟି ପଲିସିରେ କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଭାରତ-ଚୀନ୍ ସମ୍ପର୍କ ଉପରେ ଜୟଶଙ୍କର କହିଛନ୍ତି, ଏହା ଏକ ଜଟିଳ ସମ୍ପର୍କ। ଯେତେବେଳେ କୌଣସି ଦେଶର ଉତ୍ଥାନ ହୁଏ ସେତେବେଳେ ଏହାର ପ୍ରଭାବ ପଡ଼ୋଶୀ ଅଞ୍ଚଳ ଉପରେ ପଡ଼ିଥାଏ। ଅତୀତରେ ଆମ ମଧ୍ୟରେ ସହଜ ସମ୍ପର୍କ ନ ଥିଲା। ଆମେ ଅନେକ ଚୁକ୍ତି କରିଥିଲୁ ଯାହା ସୀମାରେ ସ୍ଥିରତା ଆଣିଥିଲା। ୨୦୨୦ରେ ଯାହା ଘଟିଥିଲା, ତାହା ଏକାଧିକ ଚୁକ୍ତିର ଉଲ୍ଲଂଘନ।

Advertisment

ଚୀନ୍ ବାସ୍ତବ ନିୟନ୍ତ୍ରଣ ରେଖାକୁ ବହୁ ସଂଖ୍ୟକ ସୈନ୍ୟ ପଠାଇଥିଲା, ଯେଉଁମାନେ ଭାରତୀୟ ସୈନ୍ୟଙ୍କ ସହ ହାତାହାତି ହୋଇଥିଲେ। ତେବେ ଅଦ୍ୟାବଧି ୭୫ ପ୍ରତିଶତ ପ୍ରତ୍ୟାହାର ସମସ୍ୟାର ସମାଧାନ ହୋଇଛି। ଯଦି ସେନା ପ୍ରତ୍ୟାହାରର ସମାଧାନ ହୁଏ ଏବଂ ଶାନ୍ତି ଓ ସ୍ଥିରତା ଫେରେ, ତେବେ ଆମେ ଅନ୍ୟ ସମ୍ଭାବନାଗୁଡ଼ିକ ଉପରେ ଧ୍ୟାନ ଦେଇପାରିବା। ସୁଇଜରଲ୍ୟାଣ୍ଡର ଏହି ସହରରେ ଥିବା ଏକ ଥିଙ୍କଟ୍ୟାଙ୍କରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଜୟଶଙ୍କର କହିଛନ୍ତି ଯେ ଜୁନ୍ ୨୦୨୦ରେ ଗଲୱାନ ସଂଘର୍ଷ ଭାରତ-ଚୀନ୍ ସମ୍ପର୍କକୁ ପ୍ରଭାବିତ କରିଛି। ସୀମାନ୍ତ ଅଞ୍ଚଳରେ ଶାନ୍ତି ନ ରହିଲେ ଚୀନ୍ ସହ ସମ୍ପର୍କ ସ୍ୱାଭାବିକ ହୋଇପାରିବ ନାହିଁ ବୋଲି ଭାରତ କହି ଆସୁଛି।