ନୂଆଦିଲ୍ଲୀ: ଭାରତ ପ୍ରତିବର୍ଷ ନାନା ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ସମ୍ପ୍ରତି ପ୍ରବଳ ମୌସୁମୀ ବର୍ଷା ଯୋଗୁ କେଉଁଠି ବନ୍ୟା ହେଉଛି ତ କେଉଁଠି ଭୂସ୍ଖଳନ ହେଉଛି ଏବଂ ବହୁ ଲୋକ ପ୍ରଭାବିତ ହେଉଛନ୍ତି। ଚଳିତବର୍ଷର ପ୍ରଥମ ସାତମାସ ଭିତରେ ୧୩୦ କୋଟିର ଦେଶ ଭାରତ ଦୁଇଟି ବାତ୍ୟା, ହିମାଳୟରେ ଏକ ବିରାଟ ହିମସ୍ଖଳନ, ଅସହ୍ୟ ଗ୍ରୀଷ୍ମଲହରି ଓ ଅନେକ ବନ୍ୟାବିତ୍ପାତର ସମ୍ମୁଖୀନ ହୋଇସାରିଲାଣି। ଫେବ୍ରୁଆରିରେ ହିମାଳୟ ଉପତ୍ୟକାରେ ହଠାତ୍ ଏକ ଭୟଙ୍କର ବନ୍ୟା ମାଡ଼ିଆସିଲା ଏବଂ ଏକ ଜଳବିଦ୍ୟୁତ୍ କେନ୍ଦ୍ର ସମେତ ୨୦୦ ଲୋକ ଓ ଅନେକ ଘର ଭସାଇନେଲା।
Sambad is now on WhatsApp
Join and get latest news updates delivered to you via WhatsApp
ଭାସିଯାଇଥିବା ଲୋକଙ୍କ ମଧ୍ୟରୁ କେବଳ ୬୦ ଜଣଙ୍କ ମୃତଦେହ ମିଳିଲା। ବିଶେଷଜ୍ଞମାନଙ୍କ ମତରେ ହିମାଳୟରୁ ୧୫ଟି ଫୁଟ୍ବଲ ପଡ଼ିଆର ଲମ୍ବା ଓ ପାଞ୍ଚଟିର ଚଉଡ଼ା ବିଶିଷ୍ଟ ଏକ ବିରାଟ ହିମବାହ ଖସିବାରୁ ଏହି ବନ୍ୟା ହେଲା। ଏ ବିଷୟରେ ଅନୁସନ୍ଧାନ କରିଥିବା ହିମବିଦ୍ୟା ବିଶାରଦମାନେ କହିଛନ୍ତି ଯେ, ଏହା ସ୍ପଷ୍ଟତଃ ଜଳବାୟୁ ପରିବର୍ତ୍ତନର ପରିଣାମ। ବିଶ୍ବ ତାପମାତ୍ରା ବୃଦ୍ଧି ଯୋଗୁ ଭାରତୀୟ ହିମାଳୟରେ ପ୍ରତି ଦଶନ୍ଧିରେ ପ୍ରାୟ ୧୦,୦୦୦ ହିମବାହ ୩୦ରୁ ୬୦ ମିଟର (୧୦୦ରୁ ୨୦୦ ଫୁଟ) ହାରରେ ହ୍ରାସ ପାଇବାରେ ଲାଗିଛି। ୨୦୧୩ରେ ସେହି ଏକା ଅଞ୍ଚଳରେ ଭୟଙ୍କର ବନ୍ୟା ହେବା ଯୋଗୁ ୬,୦୦୦ ଲୋକ ମୃତ୍ୟୁବରଣ କରିଥିଲେ।
ଉତ୍ତରାଞ୍ଚଳ ଭାରତ ମହାସାଗରରେ ବାତ୍ୟା ଆଦୌ ବିରଳ ନୁହେଁ କିନ୍ତୁ ବୈଜ୍ଞାନିକମାନେ କହିଛନ୍ତି ଯେ ସାମୁଦ୍ରିକ ତାପମାତ୍ରା ବୃଦ୍ଧି ଯୋଗୁ ଏହି ବାତ୍ୟା ସଂଖ୍ୟା ବଢ଼ିଛି ଓ ଅଧିକ ଭୟଙ୍କର ହେବାରେ ଲାଗିଛି। ମେ ମାସରେ ବାତ୍ୟା ତୌକ୍ତେ ମୁମ୍ବାଇ ନିକଟ ତେଲଖଣିରେ କାମ କରୁଥିବା ଅନେକ ଡଜନ ଶ୍ରମିକଙ୍କ ସମେତ ପଶ୍ଚିମ ଭାରତର ୧୫୫ ଜଣଙ୍କ ଜୀବନ ନେଇଥିଲା। ଅନେକ ଦଶନ୍ଧି ଭିତରେ ଏହା ଉକ୍ତ ଅଞ୍ଚଳର ସବୁଠାରୁ ଭୟଙ୍କର ବାତ୍ୟା ଥିଲା। ଏହାର ମାତ୍ର ସପ୍ତାହକ ପରେ ବାତ୍ୟା ୟାସ୍ ଆସିଲା, ଯେଉଁଥିରେ ଅନ୍ତତଃ ନଅଜଣଙ୍କ ଜୀବନ ଯାଇଥିବା ବେଳେ ପୂର୍ବାଞ୍ଚଳରେ ଅନ୍ୟୂନ ଦେଢ଼ ନିୟୁତ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ପଡ଼ିଥିଲା। ସମୁଦ୍ରରେ ଏକ ଡବଲଡେକର ବସ୍ ଉଚ୍ଚତାର ଲହଡ଼ି ଆସିବା ଯୋଗୁ ହଜାର ହଜାର ଲୋକଙ୍କ ଘର ଭାସିଯାଇଥିଲା। ବିଂଶ ଶତାବ୍ଦୀ ପ୍ରାରମ୍ଭରୁ ୨୦୧୮ ଭିତରେ ଭାରତର ହାରାହାରି ତାପମାତ୍ରା ୦.୭ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧିପାଇଛି ଏବଂ ୨୧୦୦ ସୁଦ୍ଧା ଏହା ଆହୁରି ୪.୪ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧିପାଇବ ବୋଲି ଏକ ସଦ୍ୟତମ ସରକାରୀ ରିପୋର୍ଟରେ କୁହାଯାଇଛି।
ଜୁଲାଇ ପ୍ରାରମ୍ଭରେ ଗ୍ରୀଷ୍ମଲହରିରେ ଉତ୍ତରଭାରତର ନିୟୁତ ନିୟୁତ ଲୋକ ଏକ ପ୍ରକାର ସିଝିଯାଇଥିଲେ। ଏକ ଦଶନ୍ଧି ହେଲା ଭାରତୀୟ ପାଣିପାଗ ବିଭାଗ ପ୍ରାୟ ପ୍ରତିବର୍ଷ ଗ୍ରୀଷ୍ମଲହରି ଘୋଷଣା କରୁଥିବା ବେଳେ ସ୍ଥଳବିଶେଷରେ ଉତ୍ତାପ ୫୦ ଡିଗ୍ରୀ ସେଲ୍ସିୟସ୍ ଛୁଉଁଥିବା ରିପୋର୍ଟ କରିଛି। ଜଣେ ବରିଷ୍ଠ ପାଣିପାଗବିତ୍ଙ୍କ କହିବା ଅନୁସାରେ ୧୯୭୧ରୁ ଏପର୍ଯ୍ୟନ୍ତ ଗ୍ରୀଷ୍ମଲହରି ଯୋଗୁ ୧୭,୦୦୦ ଲୋକଙ୍କ ଜୀବନ ଯାଇଛି। ଏବେ ବଜ୍ରପାତରେ ମଧ୍ୟ ପୂର୍ବାପେକ୍ଷା ବହୁଲୋକଙ୍କ ଜୀବନ ଯାଉଛି। ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସମ୍ପ୍ରତି ବଜ୍ରପାତ ଅଧିକ ଘନଘନ ହେଉଛି। ଏକ ସଦ୍ୟତମ ଅଧ୍ୟୟନ ଅନୁସାରେ ପୂର୍ବବର୍ଷ ତୁଳନାରେ ଗତବର୍ଷ ୩୪ ପ୍ରତିଶତ ଅଧିକ ବଜ୍ରପାତ ହୋଇଥିଲା। କେବଳ ମଣିଷ ନୁହନ୍ତି, ଗତ ମେ ମାସରେ ବଜ୍ରପାତରେ ଆସାମରେ ୧୮ଟି ହାତୀ ମୃତ୍ୟୁବରଣ କରିଥିବା ରିପୋର୍ଟ ମିଳିଛି। ସୁତରାଂ ଭାରତ ଜଳବାୟୁ ପରିବର୍ତ୍ତନର ଭୟଙ୍କର ଶିକାର ହେବାରେ ଲାଗିଛି, ଏଥିରେ ସନ୍ଦେହ ନାହିଁ।