ଆଜି ଭାରତ ବନ୍ଦ: କଂଗ୍ରେସ, ବାମଦଳର ସମର୍ଥନ

ନୂଆଦିଲ୍ଲୀ: ସଂସଦରେ ଗୃହୀତ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତବର୍ଷ ଠାରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ହେବ। ଏହି ଆନ୍ଦୋଳନକୁ ବିରୋଧୀ କଂଗ୍ରେସ ସହିତ ଆମ୍‌ ଆଦ୍‌ମୀ ପାର୍ଟି, ଆରଜେଡି, ଟିଡିପି, ୱାଇଏସଆର୍‌ କଂଗ୍ରେସ ଏବଂ ବାମଦଳଗୁଡ଼ିକ ସମର୍ଥନ ଜଣାଇଛନ୍ତି। କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ରଖିବା ପାଇଁ ଆହ୍ବାନ ଦିଆଯାଇଛି। ଆନ୍ଦୋଳନକାରୀଙ୍କ ସହିତ ସରକାର ତୁରନ୍ତ ଆଲୋଚନା ଆରମ୍ଭ କରନ୍ତୁ ବୋଲି ଦଳ ଦାବି କରିଛି। ପ୍ରତ୍ୟେକ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଆଇନଗତ ଅଧିକାର ଭାବେ ଲାଗୁ ପାଇଁ ଦାବି କରାଯାଇଛି। ବିହାରରେ ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚାର ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି। ସେହିଭଳି ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି, ଆନ୍ଧ୍ର ପ୍ରଦେଶରେ ଉଭୟ ୱାଇଏସ୍‌ଆର୍‌ କଂଗ୍ରେସ ଏବଂ ଟିଡିପି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଅନ୍ୟପକ୍ଷରେ କରୋନା ପରେ ଅର୍ଥନୀତିର ଅବସ୍ଥା ଠିକ୍ ନଥିବାରୁ ଭାରତ ବନ୍ଦ ଡାକରା ଅର୍ଥନୀତି ପାଇଁ ହିତକର ନୁହେଁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାସବରାଜ ବୋମାଇ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର କୃଷକ ସଂଗଠନ ଗୁଡ଼ିକ ସହିତ ୧୧ ଥର ଆଲୋଚନା କରିଛନ୍ତି। ଶେଷ ଥର ପାଇଁ ଗତ ଜାନୁଆରି ୨୨ ତାରିଖରେ ଆଲୋଚନା ହୋଇଥିଲା। କିନ୍ତୁ ଏଥିରୁ କୌଣସି ସମାଧାନର ବାଟ ବାହାରି ପାରି ନଥିଲା। ଗତ ଜାନୁଆରି ୨୬ ତାରିଖରେ ଦିଲ୍ଲୀରେ କୃଷକମାନଙ୍କ ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସା ଦେଖାଦେବା ପରେ ଉଭୟ ପକ୍ଷ ମଧ୍ୟରେ ଆ‌ଉ ଆଲୋଚନା ହୋଇନାହିଁ। ନୂଆ କୃଷି ଆଇନ ଦ୍ବାରା ଦେଶରେ ଚାଷ କର୍ପୋରେଟ ସଂସ୍ଥା ହାତକୁ ଚାଲିଯିବ ଏବଂ ଦେଶରେ ମଣ୍ଡି ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡ଼ିବ ବୋଲି କୃଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରି ଗତବର୍ଷ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି। ଚଳିତବର୍ଷ ଜାନୁଆରିରେ ସୁପ୍ରିମ କୋର୍ଟ ଏହି ୩ ଆଇନକୁ କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଅଚଳାବସ୍ଥା ଦୂର ପାଇଁ ଏକ କମିଟି ଗଠନ କରିଛନ୍ତି।

ସମ୍ବନ୍ଧିତ ଖବର