ଏଲଏସିରେ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ମୁତୟନ କରିଛି ଚୀନ, ଭାରତର ଚିନ୍ତା

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ କଥାବାର୍ତ୍ତା ଚାଲିଥିବା ସତ୍ତ୍ବେ ଚୀନ ସୀମାରେ ନିଜର ଶକ୍ତି ବଢାଇଚାଲିଛି । ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଥିବାରୁ ଚୀନ ପୁଣି ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି । ଏହାକୁ ନେଇ ଭାରତୀୟ ସେନାର ଚିନ୍ତା ବଢିଯାଇଛି ।

ତେବେ ଭାରତୀୟ ସେନାର ସବୁଠୁ ବଡ଼ ଚିନ୍ତା ହେଉଛି ଚୀନ ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ମୁତୟନ କରାଯାଇଥିବା ବାୟୁ ସୁରକ୍ଷା ବ୍ୟବସ୍ଥା । ଗତ ବର୍ଷ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିବା ପରେ ଚୀନ ପକ୍ଷରୁ ଏଚକ୍ୟୁ ଓ ଏଚକ୍ୟୁ-୨୨ ନାମକ ମିସାଇଲ ବ୍ୟାଟେରୀ ମୁତୟନ କରାଯାଇଥିଲା । ଏହା ଋଷନିର୍ମିତ ଏସ-୩୦୦କୁ ନକଲ କରି ଚୀନ ପକ୍ଷରୁ ତିଆରି କରାଯାଇଥିବା ଏୟାର ଡିଫେନ୍ସ ସିଷ୍ଟମ ବା ବାୟୁ ସୁରକ୍ଷା ବ୍ୟବସ୍ଥା । ଏହା ୨୫୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଧ୍ବଂସ କରିପାରିବ । ଏହି ଏୟାର ଡିଫେନ୍ସ ସିଷ୍ଟମ ଭାରତୀୟ ବାୟୁସେନାର ଲଢୁଆ ବିମାନଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିବ ବୋଲି ଭାରତ ଆଶଙ୍କା କରୁଛି ।

ଦୀର୍ଘ ଆଲୋଚନା ପରେ ଚୀନ ସେନା ପାଙ୍ଗୋଙ୍ଗ ହ୍ରଦରୁ ପଛକୁ ଫେରିଥିଲେ ବି ଆଉ କେତେକ ବିବାଦୀୟ ଅଞ୍ଚଳ ଦେବସାଙ୍ଗ, ଗୋଗ୍ରା, ହଟସ୍ପ୍ରିଙ୍ଗରୁ ଚୀନ ସେନା ପଛକୁ ଫେରିନାହିଁ । ଏସବୁ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇପକ୍ଷ ମଧ୍ୟରେ ଆଲୋଚନା ଚାଲିଛି ।

ସମ୍ବନ୍ଧିତ ଖବର