କାର୍ଯ୍ୟକ୍ଷମ ହେଲା ଭାରତର ସବୁଠୁ ଶକ୍ତିଶାଳୀ ସୁପର କମ୍ପ୍ୟୁଟର ‘ପ୍ରତ୍ୟୁଷ୍’

ନୂଆଦିଲ୍ଲୀ: ସୁପର କମ୍ପ୍ୟୁଟିଂ କ୍ଷେତ୍ରରେ ଭାରତ ସାରା ବିଶ୍ୱରେ ଏକ ବଡ଼ ସଫଳତା ହାସଲ କରିଛି । ସୋମବାରଦିନ ଭାରତର ସବୁଠାରୁ ଶକ୍ତିଶାଳୀ ସୁପର କମ୍ପ୍ୟୁଟର ପ୍ରତ୍ୟୁଷ୍‌ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏସପିସି) ଉନ୍ମୋଚନ ସହ ଭାରତ ଏ କ୍ଷେତ୍ରରେ ବିଶ୍ୱର ହାତ ଗଣତି ଦେଶମାନଙ୍କ କ୍ଲବରେ ସାମିଲ ହୋଇଯାଇଛି । ଏହି ସୁପରକମ୍ପ୍ୟୁଟର ମାଧ୍ୟମରେ ଅତି ସଠିକତାର ସହ ପାଣିପାଗ ପୂର୍ବାନୁମାନ ଆକଳନ କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ପୁନେ ସ୍ଥିତ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଟେରୋଲଜୀ (ଆଇଆଇଟିଏମ) ଠାରେ ଏହି ସୁପର କମ୍ପ୍ୟୁଟରକୁ ରଖାଯାଇଛି । ଏହିପରି ଏକ ସୁପର କମ୍ପ୍ୟୁଟର ନୋଇଡା ସ୍ଥିତ ନ୍ୟାସନାଲ ସେଣ୍ଟର ଫର ମିଡିଅମ ରେଞ୍ଜ୍‌ େଓ୍ଵଦର ଫରକାଷ୍ଟିଂ ଠାରେ ମଧ୍ୟ ରଖାଯାଇଛି । ପୁନେଠାରେ ଥିବା ଏଚପିସିର କ୍ଷମତା ୪ ପେଟାଫ୍ଲପ୍‌ ହୋଇଥିବାବେଳେ ନୋଇଡାଠାରେ ଥିବା ଏଚପିସିର କ୍ଷମତା ୨.୮ ପେଟାଫ୍ଲପ ରହିଛି । ପେଟାଫ୍ଲପ ହେଉଛି କମ୍ପ୍ୟୁଟରର କମ୍ପ୍ୟୁଟିଂ କ୍ଷମତାର ଏକ ପରିମାପ । ଗୋଟିଏ ପେଟାଫ୍ଲପ ହେଉଛି ସେକେଣ୍ଡ ପିଛା ପ୍ରାୟ ଏକ ମିଲିୟନ ବିଲିୟନ ଫ୍ଲୋଟିଂ ପଏଣ୍ଟ । ଏହି ନୂଆ ସୁପରକମ୍ପ୍ୟୁଟରଟି ପୂର୍ବରୁ ଥିବା ସୁପରକମ୍ପ୍ୟୁଟର ତୁଳନାରେ ପ୍ରାୟ ୫ ଗୁଣ ଶକ୍ତିଶାଳୀ ।

ଏହି ସୁପରକମ୍ପ୍ୟୁଟର ନିର୍ମାଣ ପାଇଁ ଭାରତ ସରକାର ଗତ ବର୍ଷ ପ୍ରାୟ ୪୫୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । ପ୍ରତ୍ୟୁଷ ଏଚପିସି କାର୍ଯ୍ୟକ୍ଷମ ହେବା ପରେ ଭାରତ ସୁପର କମ୍ପ୍ୟୁଟିଂ କ୍ଷେତ୍ରରେ ବିଶ୍ୱର କେତେକ ବଛା ବଛା ଦେଶ ଯଥା ଜାପାନ, ୟୁଏସ ଓ ବ୍ରିଟେନ ଆଦିଙ୍କ କ୍ଲବରେ ସାମିଲ ହୋଇଛି । ଆହୁରି ମଧ୍ୟ ଭାରତର ସୁପର କମ୍ପ୍ୟୁଟର ପୂର୍ବରୁ ନିଜର କ୍ଷମତା ଦୃଷ୍ଟିରୁ ବିଶ୍ୱରେ ୩୦୦ ତମ ସ୍ଥାନରୁ ଆହୁରି ତଳେ ଥିବାବେଳେ ଏବେ ତାହା ବିଶ୍ୱର ଶକ୍ତିଶାଳୀ ୩୦ଟି ସୁପର କମ୍ପ୍ୟୁଟର ମଧ୍ୟରେ ସ୍ଥାନ ପାଇଛି ।

ସମ୍ବନ୍ଧିତ ଖବର