ଚୀନ୍‌ର ପ୍ରବଳ ବିରୋଧ ସତ୍ତ୍ବେ, ଗଲ୍‌ୱାନ୍‌ ନଦୀ ଉପରେ ୬୦ ମିଟର ସେତୁ ନିର୍ମାଣ ଶେଷ କଲା ଭାରତ

ନୂଆଦିଲ୍ଲୀ: ଗଲ୍‌ୱାନ୍‌କୁ ଚୀନ୍‌ ବାରମ୍ବାର ନିଜ ଅଞ୍ଚଳ ବୋଲି ଦାବି କରିବାରୁ ଭାରତ ଏବଂ ଚୀନ୍‌ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ଉତ୍ତେଜନା ହ୍ରାସ ପାଇଁ ଯେଉଁ ପ୍ରୟାସ ଜାରି ରହିଛି ସେଥିରେ ବାଧା ଉପୁଜିଛି। ‌ତେବେ ଇତି ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଖବର ମିଳିଛି। ସେନା ଇଂଜିନିୟଙ୍କ ସୂତ୍ରରୁ ଖବର ମିଳିଛି ଯେ ସେମାନେ ପୂର୍ବ ଲଦାଖ୍‌ରେ ଗଲୱାନ୍‌ ନଦୀ ଉପରେ ୬୦ ମିଟର ଲମ୍ବର ଏକ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ଏହାଦ୍ବାରା ସମ୍ପୃକ୍ତ ସମ୍ବେଦନଶୀଳ ସେକ୍ଟର‌ରେ ଭାରତର ଦଖଲ ଅଧିକ ମଜବୁତ ହୋଇପାରିବ। ଭାରତୀୟ ସୈନ୍ୟଦଳ ମଧ୍ୟ ଏହି ଶୀତଳ ପାର୍ବତ୍ୟ ନଦୀ ଅଞ୍ଚଳରେ ଅତି ସହଜରେ ପାଟ୍ରୋଲ୍‌ କରିପାରିବେ ଏବଂ ଦାବ୍ରୁକ୍‌ଠାରୁ ଦୌଲତ୍‌ ବେଗ୍‌ ଓଲ୍ଡି ପର୍ଯ୍ୟନ୍ତ ପ୍ରାୟ ୨୨୫ କିମି ରଣନୀତିକ ସଡ଼କକୁ ସୁରକ୍ଷା ଦେଇପାରିବେ।

ସମ୍ପୃକ୍ତ ଅଞ୍ଚଳରେ ପିଏଲ୍‌ଏ ସୈନିକ ଭାରତୀୟ ସେନାବାହିନୀର ଏହି ପ୍ରକଳ୍ପକୁ ଲଗାତାର ବିରୋଧ କରିଥିବା ସତ୍ତ୍ବେ ଭାରତ ପକ୍ଷରୁ ଏହି ପୋଲ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତେବେ କୁହାଯାଉଛି ଯେ, ଏହି ରଣନୀତିକ ପୋଲ୍‌ର ନିର୍ମାଣ ଯୋଗୁଁ ଚୀନ୍‌ର ପିପୁଲ୍ସ ଲିବବରେସନ ଆର୍ମି ଅତି ଆକ୍ରମଣାତ୍ମକ ହୋଇଯାଇଥିଲା ଏହାଦ୍ବାରା ଭାରତ-ଚୀନ୍‌ ସୈନିକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ସମଗ୍ର ଗଲ୍‌ୱାନ୍‌ ନଦୀ ଘାଟିକୁ ଚୀନ୍‌ ସେନା ଅତି ବେପରୁଆ ଭାବେ ନିଜର ବୋଲି ଦାବି କରୁଛି। ସୀମା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଏବଂ ବର୍ଡର ରୋଡ୍‌ସ ଅର୍ଗାନାଇଜେସନ୍‌ କାର୍ଯ୍ୟ ମଧ୍ୟ ପିଏଲ୍‌ଏର ବିରୋଧ ସତ୍ତ୍ବେ ଜାରି ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର