ଭାରତ ଚିନ୍ତିତ: ଆଇଏସ୍‌-କେ ସହ ୧୪ କେରଳୀ

କାବୁଲସ୍ଥିତ ତୁର୍କମେନିସ୍ତାନ ଦୂତାବାସ ବାହାରେ ବିସ୍ଫୋରଣ ଯୋଜନା ପଣ୍ଡ

କାବୁଲ: ତାଲିବାନ ଦ୍ବାରା ବାଗ୍ରାମ ଜେଲରୁ ମୁକ୍ତ ହେବା ପରେ ଅତି କମ୍‌ରେ ୧୪ ଜଣ କେରଳୀ ଇସଲାମିକ୍ ଷ୍ଟେଟ୍-ଖୁରାସାନ (ଆଇଏସ୍‌-କେ) ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ଜଣାପଡ଼ିଛି। ଏହା ଭାରତର ଚିନ୍ତା ବଢ଼ାଇ ଦେଇଛି। କେରଳରୁ ଯାଇଥିବା ଏହି ଯୁବକମାନେ ଭାରତ ବାହାରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ରହିଲେ ଭାରତ ବଦନାମ ହେବ ଏବଂ ଆଇଏସ୍‌ ସେମାନଙ୍କୁ ଭାରତ ବିରୋଧରେ ବ୍ୟବହାର କରିବ। ଏହି ଆତଙ୍କବାଦୀମାନେ ଅଗଷ୍ଟ ୨୬ରେ କେତେକ ପାକ୍‌ ଆତଙ୍କବାଦୀଙ୍କ ସହିତ କାବୁଲସ୍ଥିତ ତୁର୍କମେନିସ୍ତାନ ଦୂତାବାସରେ ବିସ୍ଫୋରଣ ଘଟାଇବାକୁ ‌ଯାଉଥିଲେ ଏବଂ ସେମାନଙ୍କୁ ସୁନ୍ନି ପାସ୍ତୁନ ଆତଙ୍କବାଦୀମାନେ ଅଟକାଇଥିବା ଅସମର୍ଥିତ ସୂତ୍ରରୁ ଖବର ମିଳିଛି। ଫଳରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି।

ତାଲିବାନଙ୍କ ହକାନି ଗୋଷ୍ଠୀର ନିୟନ୍ତ୍ରଣରେ କାବୁଲ ରହିଛି କାରଣ ପାସ୍ତୁନମାନେ ଏ ଅଞ୍ଚଳରେ ସବୁଠାରୁ ପ୍ରଭାବଶାଳୀ। ପାକିସ୍ତାନ ସୀମାନ୍ତ ନଙ୍ଗରହାର ପ୍ରଦେଶରେ ମଧ୍ୟ ଏମାନଙ୍କ ପତିଆରା ରହିଛି। ୧୪ ଜଣ କେରଳୀ ଦକ୍ଷିଣଭାରତରେ ଥିବା ତାଙ୍କ ଘର ସହ ଯୋଗାଯୋଗ କରିଥିବାରୁ ଏ ନେଇ ବିଭିନ୍ନ ଗୁଇନ୍ଦା ସଂସ୍ଥାର ଖୋଳତାଡ଼ ଆରମ୍ଭ ହୋଇଯାଇଛି। ୨୦୧୪ରେ ଆଇଏସ୍‌ଆଇଏସ୍‌ ମୋସୁଲ ଦଖଲ କରିବା ପରେ କେରଳର ମାଲାପୁରମ୍, କାସାରାଗୋଦ ଓ କନ୍ନୁର ଜିଲ୍ଲାରୁ ଶତାଧିକ ଯୁବକ ଦେଶ ଛାଡ଼ି ମଧ୍ୟପ୍ରାଚ୍ୟର ଜିହାଦି ଗୋଷ୍ଠୀ ସହ ସାମିଲ ହେବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ପରିବାର ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶକୁ ଆସି ଆଇଏସ୍‌କେପି ଅଧୀନରେ ଥଇଥାନ ହୋଇଗଲେ। ତାଲିବାନ ଓ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ଏହି ମୌଳବାଦୀ କେରଳୀମାନଙ୍କୁ ଭାରତରେ ଆତଙ୍କ ସୃଷ୍ଟି କରିବା କାମରେ ଲଗାଇଦେବ ଏବଂ ଭାରତ ପାଇଁ ଏହା ଜଟିଳ ସ୍ଥିତି ସୃଷ୍ଟି କରିବ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏବେ କେରଳରେ ଆତଙ୍କବାଦୀଙ୍କ ଗତିବିଧି ନେଇ ସତର୍କ ନଜର ରଖିଛି।

ସମ୍ବନ୍ଧିତ ଖବର