ନୂଆଦିଲ୍ଲୀ: ଦକ୍ଷିଣ ଗାଜାରେ ସାମ୍ବାଦିକଙ୍କ ହତ୍ୟାର କଡ଼ା ନିନ୍ଦା କରିଛି ଭାରତ। ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହାକୁ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଇଛି। ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୈସ୍ବାଲ କହିଛନ୍ତି, ଭାରତ ସର୍ବଦା ଯୁଦ୍ଧରେ ନାଗରିକଙ୍କ ମୃତ୍ୟୁକୁ ନିନ୍ଦା କରିଥାଏ। ଇସ୍ରାଏଲ ସରକାର ଏନେଇ ତଦନ୍ତ ଆରମ୍ଭ କରିଛନ୍ତି, ତାହା ଆଶ୍ବସ୍ତିଜନକ। ଦକ୍ଷିଣ ଗାଜାର ନାସେର ହସ୍ପିଟାଲରେ ଇସ୍ରାଏଲ ଆକ୍ରମଣରେ ୫ ଜଣ ସାମ୍ବାଦିକଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା। 

Advertisment

ଏଥିରେ ଅଲ୍‌ ଜଜିରା, ରଏଟରର ସାମ୍ବାଦିକଙ୍କ ସହିତ ଜଣେ ଫ୍ରିଲାନ୍ସ ସାମ୍ବାଦିକ ଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯାଇଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ କୁହାଯାଇଛି ‌ଯେ, ହସ୍ପିଟାଲରେ ହମାସ ପକ୍ଷରୁ ସର୍ଭେଲାନ୍ସ କ୍ୟାମେରା ଲଗାଯାଇଥିଲା। ମୃତକଙ୍କ ମଧ୍ୟରେ ୬ ଜଣ ହମାସ ଆତଙ୍କବାଦୀ ଅଛନ୍ତି। ଏମାନେ ଦକ୍ଷିଣ ଇସ୍ରାଏଲରେ ୨୦୨୩ରେ ହୋଇଥିବା ନରସଂହାରରେ ସାମିଲ ଥିଲେ। ସୂଚନାଯୋଗ୍ୟ, ସୋମବାରଠାରୁ ଗାଜାରେ ଇସ୍ରାଏଲ ଆକ୍ରମଣରେ ୬୧ ଜଣଙ୍କ ମୃତ୍ୟୁ ହେଲାଣି। ଏହାକୁ ନେଇ ଜାତିସଂଘ ଗଭୀର ଉଦ୍‌ବେଗ ପ୍ରକାଶ କରିଛି।