ନୂଆଦିଲ୍ଲୀ : ଜାତିସଂଘର ମାନବାଧିକାର ଏଜେନ୍ସି (ଓଏଚ୍‌ସିଏଚ୍‌ଆର୍‌) ଭାରତର ସୁରକ୍ଷା ପରିସ୍ଥିତି ବିଷୟରେ କିଛି ନ ଜାଣି ସୁରକ୍ଷା ବାହିନୀ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିବାରୁ ଭାରତ ଏହାର ତୀବ୍ର ନିନ୍ଦା କରିଛି।

Advertisment

ଗୁରୁବାର ଭାରତର ବୈଦେଶିକ ବିଭାଗ କହିଛି ଯେ ଜାତିସଂଘ ମାନବାଧିକାର ସଂସ୍ଥାର ଅଭିଯୋଗ ମିଥ୍ୟା, ଭିତ୍ତିହୀନ ଓ ସମ୍ପୂର୍ଣ୍ଣ ଅସତ୍ୟ ଉପରେ ଆଧାରିତ। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ), ୧୯୬୭ ଅନୁଯାୟୀ କଶ୍ମୀରୀ ମାନବାଧିକାର କର୍ମୀଙ୍କୁ ଗିରଫ କରାଯିବା ଘଟଣାକୁ ଜାତିସଂଘ ମାନବାଧିକାର ସଂସ୍ଥା ସମାଲୋଚନା କରିବା ଅଯଥାର୍ଥ। ଭାରତ କିପରି ସୀମାପାର ଆତଙ୍କବାଦର ସମ୍ମୁଖୀନ ହେଉଛି, ମାନବାଧିକାର କର୍ମୀର ଖୋଳପା ପିନ୍ଧି କିପରି କିଛି ଲୋକ ଆତଙ୍କବାଦୀଙ୍କୁ ସମର୍ଥନ କରିବା ସହ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି, ସେମାନେ କିପରି ଭାରତୀୟ ନାଗରିକଙ୍କ ବଞ୍ଚିବାର ଅଧିକାରକୁ ବିପନ୍ନ କରୁଛନ୍ତି ସେ ବିଷୟରେ ଜାତିସଂଘ ମାନବାଧିକାର ସଂସ୍ଥା ସମ୍ପୂର୍ଣ୍ଣ ଅନଭିଜ୍ଞ। ବିଦେଶ ବିଭାଗ ମୁଖପାତ୍ର ଅରିନ୍ଦମ୍ ବାଗ୍‌ଚୀ ଏକ ବିବୃତିରେ କହିଛନ୍ତି ଯେ, ଏକ ଦାୟିତ୍ବସମ୍ପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ତା’ର ସବୁ ନାଗରିକଙ୍କ ମାନବାଧିକାର ସୁରକ୍ଷା ପ୍ରତି ତତ୍ପର। ସେଥିପାଇଁ ସୀମାପାର ଆତଙ୍କବାଦ ବରୋଧରେ ଭାରତ ସବୁ ପଦକ୍ଷେପ ନେଉଛି। ମାନବାଧିକାର ଉପରେ ଆତଙ୍କବାଦ କିପରି ପ୍ରତିକୂଳ ପ୍ରଭାବ ପକାଉଛି, ଜାତିସଂଘ ମାନବାଧିକାର ସଂସ୍ଥା ତାହା ବୁଝିବ‌ା ଉଚିତ ବୋଲି ବାଗ୍‌ଚୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, କଶ୍ମୀରୀ ଅଧିକାର କର୍ମୀ ଖୁରମ ପରଭେଜଙ୍କୁ ୟୁଏପିଏରେ ଗିରଫ କରାଯିବା ଘଟଣାକୁ ନେଇ ଓଏଚ୍‌ସିଏଚ୍‌ଆର୍‌ ବୁଧବାର ଉଦ୍‌ବେଗ ପ୍ରକାଶ କରିଥିଲା। ଜାତିସଂଘ ମାନବାଧିକାର କାର୍ଯ୍ୟାଳୟର ମୁଖପାତ୍ର ରବର୍ଟ କଲଭିଲ କହିଥିଲେ ଯେ ଅନ୍ତର୍ଜାତୀୟ ମ‌ାନବାଧିକାର ମାନକ ଅନୁସାରେ ୟୁଏପିଏରେ ସଂଶୋଧନ କରାଯିବା ଉଚିତ। ନାଗରିକ ସମାଜ, ମିଡ଼ିଆ ଓ ଅଧିକାର କର୍ମୀମାନଙ୍କ ବିରୋଧରେ ଉକ୍ତ ଆଇନର ପ୍ରୟୋଗ ନ କରିବାକୁ କଲଭିଲ ଭାରତୀୟ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ।