ଓ୍ଵାସିଂଟନ : ଗତ ମାର୍ଚ୍ଚ ୨୭ରେ ଭାରତ କରିଥିବା ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର ( ଏସାଟ୍)କୁ ସମଗ୍ର ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଧ୍ୟ ଏହାକୁ ସ୍ୱୀକାର କରିବା ସହ ଏଥିରୁ ସୃଷ୍ଟି ହୋଇଥିବା ଧ୍ୱଂସାବଶେଷକୁ ନେଇ ଚିନ୍ତା ପ୍ରକଟ କରିଛି । କିନ୍ତୁ ଏହା ମଧ୍ୟ ଜଣାପଡିିଛି ଯେ ଏହା ଭାରତର ପ୍ରଥମ ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର ପରୀକ୍ଷା ନଥିଲା ।
ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏର ଏକ ରିପୋର୍ଟ ଅନୁସାରେ ପ୍ରଥମ ପରୀକ୍ଷାଟି ଫେବ୍ରୁଆରୀ ୧୨ ତାରିଖରେ ହୋଇଥିଲା । କିନ୍ତୁ ଏହା ବିଫଳ ହୋଇଥିଲା । କ୍ଷେପଣାସ୍ତ୍ରଟି ମାତ୍ର ୩୦ ସେକେଣ୍ଡ ପରେ ଖସିପଡ଼ିଥିଲା । ଏ ସଂପର୍କରେ ବିଶ୍ୱର ପ୍ରମୁଖ ପତ୍ରିକା ଦ ଡିପ୍ଲୋମାଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାଟି ବିଫଳ ହୋଇଥିଲେ ମଧ୍ୟ ତାହା ଆମେରିକାର ନଜରକୁ ଆସିଥିଲା । ଆମେରିକା ଜାଣିପାରିଥିଲା ଯେ ଭାରତ ଆଗକୁ ମଧ୍ୟ ଏପରି ଏକ ପରୀକ୍ଷା କରିବ । ଆମେରିକାର ଏହି ଆଶଙ୍କା ପରେ ସତ ପ୍ରମାଣିତ ହୋଇଥିଲା ।