ଭାରତର ନ୍ୟାୟତନ୍ତ୍ର ସବୁଠୁ ଶକ୍ତିଶାଳୀ, ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ବିଦାୟ ସମ୍ବର୍ଧନା

ନ୍ୟାୟର ଚେହେରା ମାନବୀୟ ହେଉ, ବାହ୍ୟ ଚାପରେ ପ୍ରଭାବିତ ହେବା ଅନୁଚିତ

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟତନ୍ତ୍ର ବିଶ୍ବରେ ସବୁଠୁ ଶକ୍ତିଶାଳୀ। ସ୍ବଳ୍ପ ଅବଧି ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିବାରେ ଭାରତର ସୁପ୍ରିମ୍ କୋର୍ଟ ବେଶ୍ ସାମର୍ଥ୍ୟ ରଖିଛି। ନିକଟରେ ତାହା ପ୍ରମାଣିତ ‌େହାଇଯାଇଛି। ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ସୋମବାର ନିଜ ବିଦାୟୀ ସମ୍ଭାଷଣରେ ଏଭଳି କହିଛନ୍ତି। ସୋମବାର ସୁପ୍ରିମ୍ କୋର୍ଟ ପରିସରରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଉଦ୍‌ବୋଧନ ଦେଇ ଜଷ୍ଟିସ୍ ମିଶ୍ର କହିଛନ୍ତି, ଇତିହାସ କ୍ରୂର ହୋଇପାରେ ଏବଂ ବେଳେବେଳେ ଏହା ଦୟାଶୀଳ ବି ହୋଇପାରେ। ମୁଁ ଲୋକଙ୍କୁ ସେମାନଙ୍କ ଇତିହାସକୁ ଦେଖି ବିଚାର କରେନାହିଁ। ସେମାନଙ୍କ ଗତିବିଧି ଉପରେ ବିଚାର କରି ନିଷ୍ପତ୍ତି ନିଏ। ଭାରତର ନ୍ୟାୟପାଳିକା ବିଶ୍ବର ସବୁଠୁ ଶକ୍ତିଶାଳୀ। ତେବେ ନ୍ୟାୟର ଚେହେରା ସବୁବେଳେ ମାନବୀୟ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ, ଜଷ୍ଟିସ୍ ମିଶ୍ର ତାଙ୍କ ଅନ୍ତିମ କାର୍ଯ୍ୟଦିବସଗୁଡ଼ିକରେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି, ଯାହା ଲୋକଙ୍କୁ ସାମ୍ବିଧାନିକ ନ୍ୟାୟ ପ୍ରଦାନ କରିପାରିଛି। ଧାରା ୪୯୭ ଏବଂ ୧୯୮କୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ସମାନତା ଅଧିକାର ପାଇଁ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଜଷ୍ଟିସ୍ ମିଶ୍ର ବାର୍‌ ଆସୋସିଏସନକୁ ଧନ୍ୟବାଦ ଜ୍ଞାପନ କରି କହିଛନ୍ତି, ମୁଁ ବାର୍ ପ୍ରତି ଋଣୀ ହୋଇ ରହିବି। ଏଠାରୁ ମୁଁ ସନ୍ତୁଷ୍ଟି ସହିତ ବିଦାୟ ‌ନେଉଛି। ଅନ୍ୟପକ୍ଷରେ ଜ‌ଷ୍ଟିସ୍ ମିଶ୍ର ଯୁବ ଓକିଲମାନଙ୍କୁ ପ୍ରଶଂସା କରିଛନ୍ତି। ଯୁବ ଓକିଲମାନେ ଆମ ଦେଶର ସଂପତ୍ତି ଏବଂ ଦେଶର ନ୍ୟାୟପାଳିକାକୁ ସେମାନେ ଯଥୋଚିତ ଢଙ୍ଗରେ ଆଗେଇନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଯୁବ ବିଚାରପତିଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ପରିସ୍ଥିତି ଯାହା ହେଉ ନା କାହିଁକି, ବିଚାରପତିମାନେ କଦାପି ବ‌ାହ୍ୟ ଚାପ ଦ୍ବାରା ପ୍ରଭାବିତ ହେବା ଅନୁଚିତ। ସେ ଆହୁରି କହିଛନ୍ତି ଯେ ସମାଜ ପିଲାମାନଙ୍କର ଦ୍ବିତୀୟ ମାଆ ଭଳି। ସେହିଭଳି ଧନୀ ଓ ଗରିବ ଲୋକଙ୍କ ଲୁହ ମଧ୍ୟରେ କୌଣସି ଫରକ ନାହିଁ। ସତ୍ୟର କୌଣସି ରଙ୍ଗ ନାହିଁ ବୋଲି ସେ ଦର୍ଶାଇଛନ୍ତି। ଆଜି ତାଙ୍କ ଦୀର୍ଘ ଜୀବନ କାମନା କରି ଜଣେ ଓକିଲ ଗୀତ ଗାଇବା ବେଳେ ଜଷ୍ଟିସ୍ ମିଶ୍ର ତାଙ୍କୁ ଅଟକାଇଥିଲେ। ସେ ହୃଦୟରୁ କାମ କରିଛନ୍ତି, ସନ୍ଧ୍ୟ‌ାରେ ମନରୁ କହିବେ ବୋଲି କହିଥିଲେ। ୨୦୧୭ ଅଗଷ୍ଟରେ ଜଷ୍ଟିସ୍ ମିଶ୍ର ପ୍ରଧାନ ବିଚାରପତି ନିଯୁକ୍ତ ହୋଇଥିଲେ। ସେ ଆସନ୍ତାକାଲି ଅବସର ଗ୍ରହଣ କରୁଛନ୍ତି।

ଜ‌ଷ୍ଟିସ୍ ମିଶ୍ରଙ୍କ ଶବ୍ଦ ଲୋକଙ୍କୁ ପ୍ରେରଣା ଦେଇଛି: ଜଷ୍ଟିସ୍ ଗୋଗଇ
ନୂଆଦିଲ୍ଲୀ: ଆସନ୍ତା ୩ ତାରିଖରେ ଦେଶର ପ୍ରଧାନ ବିଚାରପତି ଭାବେ ଶପଥ ନେବାକୁ ଯାଉଥିବା ଜଷ୍ଟିସ୍ ରଞ୍ଜନ ଗୋଗଇ ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଜଷ୍ଟିସ୍ ମିଶ୍ର ଲୋକଙ୍କ ସ୍ବାଧୀନତା ଉପରେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ତା‌’ଛଡ଼ା ମହିଳାଙ୍କ ଅଧିକାରକୁ ବି ସମ୍ମାନ ଦେଇଛନ୍ତି। ଜଷ୍ଟିସ୍ ମିଶ୍ରଙ୍କ ପ୍ରତ୍ୟେକ ଶବ୍ଦ ଲୋକମାନଙ୍କୁ ପ୍ରେରଣା ଦେଇଛି ବୋଲି ଗୋଗଇ କହିଛନ୍ତି। ଜଷ୍ଟିସ୍ ଗୋଗଇ କହିଛନ୍ତି, ସାମ୍ବିଧାନିକ ମୂଲ୍ୟବୋଧ ସହିତ ତାଳଦେଇ କାର୍ଯ୍ୟ କରିବା ଗୁରୁତ୍ବପୂର୍ଣ୍ଣ। ଏଥିରେ ବିଫଳ ‌ହେଲେ ଲୋକମାନେ ପରସ୍ପରଙ୍କୁ ଘୃଣା କରିବେ ଏବଂ ହତ୍ୟା କରିବେ। କିନ୍ତୁ ସୁପ୍ରିମ୍ କୋର୍ଟ ଏହି ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ଲାଗି ପ୍ରତିଶ୍ରୁତିବଦ୍ଧ ଅଛନ୍ତି।

ସମ୍ବନ୍ଧିତ ଖବର