ଚୀନ ସୀମାରେ ୨୫ଟି ସଡ଼କ ନିର୍ମାଣ କରୁଛି ଭାରତ

ନୂଆଦିଲ୍ଲୀ : ଭାରତୀୟ ସୀମା ଗୁଡ଼ିକ ଦେଇ ଅନୁପ୍ରବେଶ ଓ ଚୋରାଚାଲାଣ ମାମଲା ବଢିଚାଲିଥିବାରୁ ସରକାର ସୀମାଗୁଡ଼ିକର ସୁରକ୍ଷା ଓ ଭିତ୍ତିଭୂମି ବଢାଇବାକୁ କେତେକ ପ୍ରକଳ୍ପ ଉପରେ କାମ କରୁଛନ୍ତି । ଏସବୁ ପ୍ରକଳ୍ପରେ ଆସନ୍ତା ୨୦୨୩ ସୁଦ୍ଧା ପ୍ରାୟ ୭ ହଜାର କୋଟି ଟଙ୍କା ବ୍ୟୟ ହେବ ।

ଚୀନକୁ ଲାଗିଥିବା ସୀମାରେ ୨୫ଟି ଆଇସିବିଆର-୧ (ଭାରତ-ଚୀନ ସୀମାନ୍ତ ସଡ଼କ) ସଡ଼କ ନିର୍ମାଣ କରାଯାଉଛି । ଏସବୁ ସଡ଼କ ପ୍ରକଳ୍ପରେ ପ୍ରାୟ ୩୪୮୨ କୋଟି ଟଙ୍କା ବ୍ୟୟ କରାଯିବ । ସେହିପରି ଏସବୁ ସଡ଼କର ମୋଟ ଲମ୍ବ ୭୫୧ କିଲୋମିଟର ହେବ । ଏସବୁ ସଡ଼କ ଦ୍ବାରା ସୀମାକୁ ସହଜରେ ପହଞ୍ଚି ହେବ । ଏହା ଦ୍ବାରା ଭାରତୀୟ ସେନା ଓ ସୁରକ୍ଷା ବାହିନୀକୁ ସୁବିଧା ହେବ । ଏହି ୨୫ଟି ସଡ଼କ ମଧ୍ୟରୁ ୧୮ଟି ସଡ଼କ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଯାଇଛି । ଚୀନକୁ ଦୃଷ୍ଟିରେ ରଖି ଲଦାଖରେ ୩୨ଟି ହେଲିପ୍ୟାଡ୍ ନିର୍ମାଣ କରାଯାଉଛି ।

ଅନ୍ୟପକ୍ଷରେ ପାକିସ୍ତାନ-ଭାରତ ସୀମା ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ଘଟୁଥିବାରୁ ଏସବୁ ସୀମାରେ ତାରବାଡ଼ ନିର୍ମାଣ କରାଯାଉଛି । ସୀମାର କେତେକ ଅଂଶରେ ତାରବାଡ଼ ଲଗାଇବା କାମ ସଂପୂର୍ଣ୍ଣ ହୋଇଯାଇଥିବାବେଳେ କେତେକ ଅଂଚଳରେ ଏବେ ବି ନିର୍ମାଣ ଚାଲିଛି । ଏହାସହିତ ଅନୁପ୍ରବେଶକାରୀଙ୍କୁ ଠାବ କରିବା କ୍ଷେତ୍ରରେ ସୁରକ୍ଷାବାହିନୀକୁ ସହାୟତା କରିବାକୁ ସୀମାରେ ଫ୍ଲଡ ଲାଇଟ ଲଗାଇବା କାମ କରାଯାଉଛି  ।

 

ସମ୍ବନ୍ଧିତ ଖବର