ନୂଆଦିଲ୍ଲୀ: ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସରକାରର ୩ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଭାରତରେ ଅବସ୍ଥାପିତ ମାଳଦ୍ୱୀପର ଉଚ୍ଚାୟୁକ୍ତଙ୍କୁ ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସମନ କରାଯାଇଥିଲା। ମାଳଦ୍ୱୀପ ଦ୍ୱିପାକ୍ଷିକ ସମ୍ପର୍କକୁ ଖରାପ କରିଥିବାରୁ ଏହାକୁ ସୁଧାରିବା ଦାୟିତ୍ୱ ରାଷ୍ଟ୍ରପତି ମୁଇଜୁଙ୍କ ଉପରେ ରହିଛି ବୋଲି ମାଳଦ୍ବୀପର ଉଚ୍ଚାୟୁକ୍ତ ଇବ୍ରାହିମ୍ ସାହିବଙ୍କୁ କୁହାଯାଇଛି। କେବଳ ନିଲମ୍ବନ ନୁହେଁ, ତିନି ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ବୋଲି ରାଷ୍ଟ୍ରଦୂତଙ୍କୁ ମଧ୍ୟ କୁହାଯାଇଛି। ତିନି ଜଣ କନିଷ୍ଠ ମନ୍ତ୍ରୀ, ବିଶେଷ କରି ରାଷ୍ଟ୍ରପତିଙ୍କ ମୁଖପାତ୍ର କୁହାଯାଉଥିବା ଦୁଇ ମହିଳା ମନ୍ତ୍ରୀଙ୍କ ଅଶାଳୀନ ଆଚରଣ ପରେ ରାଷ୍ଟ୍ରପତି ମୁଇଜୁଙ୍କ ନୀରବତାକୁ ନେଇ ନୂଆଦିଲ୍ଲୀ କ୍ଷୋଭ ପ୍ରକାଶ କରିଛି। ବାସ୍ତବରେ, ବୈଦେଶିକ ମନ୍ତ୍ରଣାଳୟ ପ୍ରଶ୍ନ କରିଛି ଯେ, ରାଷ୍ଟ୍ରପତି ସି ଜିନପିଙ୍ଗଙ୍କଠାରୁ ପାଣ୍ଠି ମାଗିବା ପାଇଁ ରାଷ୍ଟ୍ରପତି ମୁଇଜୁଙ୍କ ଚୀନ ଗସ୍ତ ପୂର୍ବରୁ କନିଷ୍ଠ ମନ୍ତ୍ରୀମାନଙ୍କୁ ଜାଣିଶୁଣି ଏଭଳି ଉତ୍ତେଜନା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା କି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପର ଜଣେ ସାଂସଦ ଓ ତିନିଜଣ ମନ୍ତ୍ରୀଙ୍କ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମାଳଦ୍ୱୀପର ରାଷ୍ଟ୍ରଦୂତ ଇବ୍ରାହିମ୍ ସାହିବଙ୍କୁ ସମନ କରିଛି। ପ୍ରଧାନମନ୍ତ୍ରୀ ଏହାର ଜବାବରେ ମାଳଦ୍ବୀପ ସରକାର ମଧ୍ୟ ଭାରତୀୟ ଉଚ୍ଚାୟୁକ୍ତ ମୁନୁ ମହାୱାରଙ୍କୁ ସମନ ଜାରି କରିଛି। ଏହାକୁ ନେଇ ଦୁଇ ଦେଶ ଭିତରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଏବେ ଡିଲିଟ୍ ହୋଇଥିବା ପୋଷ୍ଟରେ ମାଳଦ୍ବୀପର ମନ୍ତ୍ରୀ ମରିୟମ ଶିଉନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଲକ୍ଷଦ୍ୱୀପ ଫଟୋର ପ୍ରତିକ୍ରିୟାରେ ‘ଜୋକର’ ଏବଂ ‘ସଖିକଣ୍ଢେଇ’ ବୋଲି ଉଲ୍ଲେଖ କରିଥିଲେ। ସେହିଭଳି ସାଂସଦ ଜାହିଦ୍ ରମିଜ୍ ପର୍ଯ୍ୟଟନ ଦୃଷ୍ଟିରୁ ଲକ୍ଷଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରିବାର ବିଚାରକୁ ହାସ୍ୟାସ୍ପଦ ବୋଲି କହିବା ସହ ଭାରତୀୟ ଦ୍ୱୀପ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ବିବାଦ ସୃଷ୍ଟି ହେବା ପରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଉକ୍ତ ତିନିଜଣ ମନ୍ତ୍ରୀ ଶିଉନା, ମାଲଶା ଶରିଫ ଓ ଅମଦୁଲ୍ଲା ମହଜୁମ ମାଜିଦଙ୍କୁ ନିଲମ୍ବିତ କରିଛନ୍ତି। ନୂଆଦିଲ୍ଲୀରେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାଲେସ୍ଥିତ ଭାରତୀୟ ହାଇକମିସନ ରବିବାର ମାଳଦ୍ୱୀପର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଏହି ପ୍ରସଙ୍ଗରେ ତୁରନ୍ତ ଆଲୋଚନା କରିଥିଲେ। ମାଳଦ୍ବୀପ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ବିଭିନ୍ନ ଭାରତୀୟ ସେଲିବ୍ରିଟି ମାଳଦ୍ୱୀପ ଗସ୍ତ କରିବା ପରିବର୍ତ୍ତେ ଘରୋଇ ଯାତ୍ରା ବିକଳ୍ପ ଉପରେ ବିଚାର କରିବାକୁ ଆହ୍ୱାନ ଦେଇଥିଲେ। ଏହି ବିବାଦକୁ ଦୃଷ୍ଟିରେ ରଖି କିଛି ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପ ଗସ୍ତ ବାତିଲ କରୁଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ମାଳଦ୍ୱୀପର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରବିବାର ଏକ ବିବୃତି ଜାରି କରି ବିଦେଶୀ ବିଶିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟର ଉପସ୍ଥିତିକୁ ସ୍ୱୀକାର କରି ସ୍ପଷ୍ଟ କରିଛି ଯେ ଏଭଳି ମତାମତ ବ୍ୟକ୍ତିଗତ ମତାମତ ଏବଂ ଏହା ମାଳଦ୍ୱୀପ ସରକାରଙ୍କ ଆଭିମୁଖ୍ୟକୁ ପ୍ରତିଫଳିତ କରେ ନାହିଁ।