ମାସୁଦ୍‌ ଆଝାରକୁ ‘ବିଶ୍ୱ ଆତଙ୍କବାଦୀ’ ଘୋଷଣା କରିବା ପାଇଁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ପ୍ରୟାସ ଜାରି ରହିବ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌)ର ମୁଖିଆ ମୌଲାନା ମାସୁଦ୍‌ ଆଝାରକୁ ‘ବିଶ୍ୱ ଆତଙ୍କବାଦୀ’ ଘୋଷଣା କରିବା ପାଇଁ ମିଳିତ ଜାତିସଂଘର ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତ ଆରମ୍ଭ କରିଥିବା ପ୍ରୟାସ ଧୈର୍ଯ୍ୟର ସହିତ ଜାରି ରଖିବ ବୋଲି, ଆଜି ଭାରତ ସରକାରଙ୍କର ଜନୈକ ପ୍ରବକ୍ତା କହିଛନ୍ତି। ଚତୁର୍ଥ ଥର ପାଇଁ ମାସୁଦ୍‌ ଆଝାରକୁ ‘ବିଶ୍ୱ ଆତଙ୍କବାଦୀ’ ଘୋଷଣା କରିବା ପ୍ରସ୍ତାବ ଉପରେ ନିଜର ଭିଟୋ କ୍ଷମତାର ପ୍ରୟୋଗ କରି ଚୀନ୍‌ ଏହାକୁ ଅଟକାଇ ଦେଇ ଥିବାରୁ ଭାରତ ଏଥିରେ ହତୋତ୍ସାହିତ ହେବନାହିଁ; ବରଂ ଏହି ପ୍ରସ୍ତାବ ଉପରେ ନିଜର ସମର୍ଥନ ଦେବାକୁ ଚୀନ୍‌କୁ ପ୍ରବର୍ତ୍ତାଇବ ବୋଲି ସେ କହିଛନ୍ତି।

ଭାରତ ସରକାରଙ୍କର ପ୍ରବକ୍ତା କହିଛନ୍ତି ଯେ ଚୀନ୍‌ ମଧ୍ୟ ବେଶ୍‌ ଭଲ ଭାବେ ଜାଣିଛି, ଆତଙ୍କବାଦ ହେଉଛି ସମଗ୍ର ବିଶ୍ୱ ପାଇଁ ସବୁଠାରୁ ବଡ଼ ବିପଦ। ଏଥିସହ ଚୀନ୍‌ ମଧ୍ୟ ଜାଣିଛି ଯେ ପାକିସ୍ତାନ ମାଟିରେ ଏକିଧିକ ଆତେଙ୍କବାଦୀ ସଂଗଠନ ନିଜର କାୟା ବିସ୍ତାର କରିବା ସହ ତମାମ ବିଶ୍ୱର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ହାମ୍‌ଲାମାନ ଘଟାଇ ଚାଲିଛନ୍ତି।


ତେବେ, ପାକିସ୍ତାନ ଉପରେ କେତେକ ପ୍ରସଙ୍ଗରେ ଚୀନ୍‌ ନିର୍ଭରଶୀଳ ଥିବାରୁ ମାସୁଦ୍‌ ଆଝାରକୁ ‘ବିଶ୍ୱ ଆତଙ୍କବାଦୀ’ ଘୋଷଣା କରିବା ପ୍ରସ୍ତାବ ଉପରେ ନିଜର ସମର୍ଥନ ଦେବାକୁ କୁଣ୍ଠିତ ହେଉଛି। ତେବେ, ଖୁବ୍‌ ଶୀଘ୍ର ଚୀନ୍‌ ନିଜର ଦୃଷ୍ଟିଭଙ୍ଗୀ ବଦଳାଇବା ସହ ମାସୁଦ୍‌ ଆଝାରକୁ ‘ବିଶ୍ୱ ଆତଙ୍କବାଦୀ’ ଘୋଷଣା କରିବା ପ୍ରସ୍ତାବ ଉପରେ ନିଜର ସମର୍ଥନ ଦେବ ବୋଲି କହିଛନ୍ତି ଭାରତ ସରକାରଙ୍କର ପ୍ରବକ୍ତା।

ସମ୍ବନ୍ଧିତ ଖବର