ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ବର୍ତ୍ତମାନ ଭୟଙ୍କର ଆର୍ଥିକ ଓ ରାଜନୈତିକ ସଂକଟ ଦେଖାଦେଇଛି। ରବିବାର ଶ୍ରୀଲଙ୍କାବାସୀଙ୍କ ଆନ୍ଦୋଳନ ୧୦୦ ଦିନରେ ପହଞ୍ଚିଛି। ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ସହିତ ଭାରତୀୟ ସଭ୍ୟତାର ଅନେକ ସାମଞ୍ଜସ୍ୟ ରହିଛି। ବହୁସଂଖ୍ୟାରେ ତାମିଲ ଲୋକ ସେଠାରେ ବାସ କରୁଛନ୍ତି। ତେଣୁ ଶ୍ରୀଲଙ୍କା ସଂକଟର ସମାଧାନ ପାଇଁ ଭାରତର ହସ୍ତକ୍ଷେପ ଲୋଡ଼ି ତାମିଲନାଡ଼ୁର ଦୁଇ ପ୍ରମୁଖ ଦଳ ଡିଏମକେ ଓ ଏଆଇଏଡିଏମକେ ଦାବି କରିଥିଲେ। ସେମାନଙ୍କ ଦାବି ପରେ କେନ୍ଦ୍ର ସରକାର ଶ୍ରୀଲଙ୍କା ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ସର୍ବଦଳୀୟ ବୈଠକ କରିବାକୁ ଆଜି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମଙ୍ଗଳବାର ସଂଧ୍ୟାରେ ଏହି ବୈଠକ ହେବ।

Advertisment

ସର୍ବଦଳୀୟ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଅଧ୍ୟକ୍ଷତା କରିବେ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଶ୍ରୀଲଙ୍କାବାସୀଙ୍କ ଆନ୍ଦୋଳନ ଶେଷରେ ହିଂସାର ରୂପ ନେଇଛି। ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନକୁ ନିଜ ଅଧୀନକୁ ନେବା ସହିତ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପୋଡ଼ି ଦେଇଥିଲେ। ଫଳରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ନିକଟରେ ଦେଶ ଛାଡ଼ି ପଳାଇଛନ୍ତି। ଶ୍ରୀଲଙ୍କାର ଏଭଳି ବରବାଦର କାରଣ ସାଜିଥିବା ଚୀନ୍‌ କୌଣସି ସହାୟତା ଦେଉନାହିଁ।