୧୮ ପାକିସ୍ତାନୀଙ୍କୁ ଆତଙ୍କବାଦୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ପାକିସ୍ତାନର ୧୮ ଜଣ ପଳାତକ ଆତଙ୍କବାଦୀଙ୍କୁ ‘ବ୍ୟକ୍ତିଗତ ଆତଙ୍କବାଦୀ’ ଭାବେ ଅଭିହିତ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୯୯୩ର ମୁମ୍ବାଇ ଧାରାବାହିକ ବିସ୍ଫୋରଣ ଓ ୨୦୦୮ ମୁମ୍ବାଇ ଆକ୍ରମଣ ସହ ଜଡ଼ିତ ଆତଙ୍କବାଦୀ, ୨୦୧୬ ପଠାଣକୋଟ ବାୟୁସେନା ଘାଟି ଆକ୍ରମଣ ଓ ୨୦୧୯ ପୁଲଵାମା ବିସ୍ଫୋରଣ ସହ ଜଡ଼ିତ ଆତଙ୍କବାଦୀ, ୧୯୯୯ ଭାରତୀୟ ବିମାନ ଅପହରଣ ଓ ଭାରତୀୟ ମୁଜାହିଦ୍ଦିନ ଆକ୍ରମଣ ସହ ଜଡ଼ିତ ଆତଙ୍କବାଦୀଙ୍କ ସମେତ ଜାମ୍ମୁକାଶ୍ମୀରରେ ବର୍ଷ ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇ ଆସିଥିବା ଆତଙ୍କବାଦୀମାନେ ରହିଛନ୍ତି। ସଂଶୋଧିତ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ(ଯୁଏପିଏ) ବଳରେ ସେମାନଙ୍କୁ ‘ବ୍ୟକ୍ତିଗତ ଆତଙ୍କବାଦୀ’ ଭାବେ ଘୋଷଣା କରିବା ପରେ ସେମାନଙ୍କ ସମ୍ପତ୍ତିର ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହେବ। ସେହି ଆତଙ୍କବାଦୀମାନଙ୍କ ଭିତରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା(ଆଇଏସ୍‌ଆଇ)ର ଅନ୍ୟତମ ସମ୍ପତ୍ତି ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ସାଜିଦ୍‌ ମିର୍‌, ହିଜବୁଲ ମୁଜାହିଦ୍ଦିନ୍‌ ମୁଖ୍ୟ ସୟଦ ସଲାହୁଦ୍ଦିନ୍‌, ଲସ୍କର-ଇ-ତଏବା ମୁଖ୍ୟ ହାଫିଜ୍‌ ସୟିଦ୍‌ର ଶଳା ଅବଦୁଲ୍‌ ରେହମାନ ମାକ୍କି, ଜୈସ-ଇ-ମହମ୍ମଦ ମୁଖ୍ୟ ମୌଲାନା ମସୁଦ୍‌ ଆଝାରର ଭାଇ ଅବଦୁଲ ରୌଫ୍‌ ଅସଗର, ଭାରତୀୟ ମୁଜାହିଦ୍ଦିନ୍‌ର ପ୍ରତିଷ୍ଠାତା ରିୟାଜ୍‌ ଭଟକଲ ଓ ତା’ ଭାଇ ଇକବାଲ ଭଟକଲ ଏବଂ ଦୁର୍ଦ୍ଦାନ୍ତ ଅପରାଧୀ ଦାଉଦ୍‌ ଇବ୍ରାହିମ୍‌ର ଡାହାଣ ହାତ ଛୋଟା ସକିଲ ସମେତ ଡି କମ୍ପାନିର ଟାଇଗର ମେମନ ଓ ଜାଭେଦ୍‌ ଚିକନା ଆଦି ରହିଛନ୍ତି।

ସମ୍ବନ୍ଧିତ ଖବର