ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନରେ ଅବସ୍ଥାପିତ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଅନଧିକୃତ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭାରତ ଅଲୋଡ଼ା ଘୋଷଣା କରିଛି। ୨୪ ଘଣ୍ଟା ମଧ୍ୟରେ ଏହି ଅଧିକାରୀଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନ ହାଇକମିସନର ଚାର୍ଜ ଡି’ଆଫେୟାର୍ସ (ଦାୟିତ୍ବରେ ଥିବା ଅଧିକାରୀ)ଙ୍କୁ ଆଜି ଏ ନେଇ ଆଦେଶ ଜାରି କରାଯାଇଛି।

Advertisment

ଭାରତରେ ଥିବା କୌଣସି ପାକିସ୍ତାନୀ କୂଟନୀତିଜ୍ଞ କିମ୍ବା ଅଧିକାରୀ ଯେପରି କୌଣସି ପ୍ରକାରେ ସେମାନଙ୍କ ଅଧିକାର ଓ ମାନ୍ୟତାର ଅପବ୍ୟବହାର ନ କରନ୍ତି, ତାହା କଡ଼ାକଡ଼ି ଭାବେ ସୁନିଶ୍ଚିତ କରିବାକୁ ତାଙ୍କୁ କୁହାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ନୂଆଦିଲ୍ଲୀ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ବହିଷ୍କାର କରିଛି। ଗୁପ୍ତଚରଗିରି ଅଭିଯୋଗରେ ଗତ ୧୩ ତାରିଖରେ ଭାରତ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ବହିଷ୍କାର କରିଥିଲା। ବୈଦେଶିକ ମନ୍ତ୍ରଣାଳୟ ଏହାର ଆଭିମୁଖ୍ୟ ଦୋହରାଇ କହିଛି ଯେ ସମସ୍ତ କୂଟନୈତିକ କର୍ମଚାରୀ ଆୟୋଜକ ଦେଶର ଆଇନକୁ ସମ୍ମାନ ଦେବା ଏବଂ ସେମାନଙ୍କ କୂଟନୈତିକ ସ୍ଥିତି ଅନୁଯାୟୀ ଆଚରଣ କରିବା ଉଚିତ।