ନୂଆଦିଲ୍ଲୀ: ଖଲିସ୍ତାନ ସମର୍ଥକ ସଂଗଠନ ଶିଖ୍ ଫର ଜଷ୍ଟିସକୁ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିବାକୁ କାନାଡ଼ା ପାଖରେ ଦାବି କରିଛି ଭାରତ | ଖଲିସ୍ତାନ ସମର୍ଥକ ସଂଗଠନଗୁଡିକୁ କିଛି ଏନଜିଓ ପ୍ରଦାନ କରୁଥିବା ସହାୟତା ବାବଦରେ ବାରମ୍ବାର ଅଭିଯୋଗ ଆସୁଛି | ସଂଗଠନଗୁଡିକୁ କିଛି ଏନଜିଓ ବିପୁଳ ଆର୍ଥିକ ସହାୟତା କରୁଥିବାର ଅଭିଯୋଗ ଆସିବା ପରେ ଏବାବଦରେ ତଦନ୍ତ କରିବାକୁ ଜାତୀୟ ଅନୁସନ୍ଧାନ ଏଜେନ୍ସି ଟିମ ଶୁକ୍ରବାର ଦିନ କାନାଡାରେ ପହଞ୍ଚିଥିଲା । ରିପୋର୍ଟ ମୁତାବକ ଏନଆଇଏର ଏକ ତିନିଜଣିଆ ଟିମ୍ ଚାରି ଦିନିଆ ଗସ୍ତରେ କାନାଡାରେ ପହଞ୍ଚି ଥିଲେ | ଆଉ ଏନଆଇଏ ଟିମ୍ ଆନୁଷ୍ଠାନିକ ଭାବେ କାନାଡା ସରକାରଙ୍କୁ ଶିଖ୍ ଫର ଜଷ୍ଟିସ୍ ସଂଗଠନକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି।
ସୂଚନା ମୁତାବକ ଏହି ସପ୍ତାହରେ ଓଟାୱାରେ ଭାରତ ସରକାର କାନାଡ଼ାର ପ୍ରତିପକ୍ଷଙ୍କ ସହିତ ଆଲୋଚନା କରିଥିଲେ ଏବଂ ସଂଗଠନ ବିରୋଧରେ ସେମାନଙ୍କର ଦାବିକୁ ପ୍ରମାଣିତ କରିବା ପାଇଁ କାନାଡ଼ା ସରକାରଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ଦସ୍ତାବିଜ ହସ୍ତାନ୍ତର କରିଥିଲେ | ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ସରକାରଙ୍କ ଏଜେନ୍ସି ଦ୍ୱାରା କୁହାଯାଇଥିଲା ଯେ ଶିଖ୍ ଫର ଜଷ୍ଟିସ୍ ଭଳି ଖଲିସ୍ତାନ ସଂଗଠନଗୁଡ଼ିକୁ କିଛି ଏନଜିଓ ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ ହୋଇଆସୁଛି, ଯାହାଦ୍ୱାରା ସେମାନେ ସ୍ୱତନ୍ତ୍ର ଖଲିସ୍ତାନ ସୃଷ୍ଟି ପାଇଁ କାର୍ଯ୍ୟ କରିବେ |
ଶିଖ୍ ଫର ଜଷ୍ଟିସ୍ ଭାରତରେ ବିଶେଷ କରି ପଞ୍ଜାବରେ ବିଚ୍ଛିନ୍ନତାବାଦୀ ଏଜେଣ୍ଡା ପାଇଁ କାର୍ଯ୍ୟ କରୁଛି। କାନାଡା ସରକାରଙ୍କୁ ଏନଆଇଏ ପ୍ରମାଣ ଦେଇଛି ଯେ ଏହି ସଂଗଠନ ଭାରତରେ ଖଲିସ୍ତାନ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଏବଂ ଏଥିପାଇଁ ଏହା ମଧ୍ୟ ହିଂସାକୁ ଉସୁକାଉଛି |