ପୂର୍ବ ଲଦାଖ୍‌ରେ ମରିନ୍‌ କମାଣ୍ଡୋ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଭାରତ ପୂର୍ବ ଲଦାଖ୍‌ରେ ଏହାର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି। ଏହି ପ୍ରକ୍ରିୟା ଅନ୍ତର୍ଗତ ଭାରତ ପୂର୍ବ ଲଦାଖ୍‌ର ପାଙ୍ଗଙ୍ଗ୍‌ ହ୍ରଦ ନିକଟରେ ନୌସେନାର ମରିନ୍‌ କମାଣ୍ଡୋ (ମାରକସ୍‌) ମୁତୟନ କରିଛି। ପୂର୍ବରୁ ପୂର୍ବ ଲଦାଖ୍‌ରେ ଭାରତୀୟ ବାୟୁ ସେନାର ଗରୁଡ଼ କମାଣ୍ଡୋ ଏବଂ ସ୍ଥଳ ସେନାର ପିଏସଏଫ୍‌ (ପାରା ସ୍ପେସାଲ୍‌ ଫୋର୍ସ) ମୁ୍ତୟନ ‌ହୋଇଥିଲେ। ତେବେ ପୁଣିଥରେ ୩ ସେନାର ଶକ୍ତି ବୃଦ୍ଧି ପାଇଁ ଉକ୍ତ ଅଞ୍ଚଳରେ ନୌସେନାର ମରିନ୍‌ କମାଣ୍ଡୋ ମୁତୟନ ହୋଇଛନ୍ତି। ନୌସେନା କମାଣ୍ଡୋମାନେ ମଧ୍ୟ ଖୁବ୍‌ଶୀଘ୍ର ଅପରେସନ୍‌ ପାଇଁ ନୂ୍ଆ ବୋଟ୍‌ ପାଇବେ। ଏଥିସହ ହ୍ରଦ ମଧ୍ୟରେ ବିଭିନ୍ନ ଅପରେସନ୍‌ ପାଇଁ ନୂଆ ଭିତ୍ତିଭୂମି ମଧ୍ୟ ସ୍ଥାପନ ହୋଇଥିବା ଜଣାପଡ଼ିଛି। ଭାରତୀୟ ‌ବାୟୁ ସେନା ଏବଂ ସ୍ଥଳ ସେନାର ସ୍ବତନ୍ତ୍ର ବାହିନୀ ପୂର୍ବ ଲଦାଖ୍‌ରେ ପ୍ରାୟ ୬ମାସ ଧରି ଥିବାବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ନୌସେନା ‌କମାଣ୍ଡୋ। ଉଲ୍ଲେଖଯୋଗ୍ୟ, ଜମ୍ମୁ କାଶ୍ମୀରରେ ଆତଙ୍କବାଦକୁ ନିୟନ୍ତ୍ରଣ କରିବାପାଇଁ ଭାରତୀୟ ନୌସେନା ଏହାର ମାର୍‌କସ୍‌ ଟିମ୍‌ ମୁତୟନ କରିଛି। ୨୦୧୬ ପଠାନକୋଟ ଅପରେସନ୍‌ ପରେ କାଶ୍ମୀରରେ ଭାରତୀୟ ବା‌ୟୁସେନା ଗରୁଡ଼ କମାଣ୍ଡୋ ମୁତୟନ କରିଥିଲା।

ସମ୍ବନ୍ଧିତ ଖବର