‘ଷ୍ଟାଣ୍ଡଅପ୍ ମୋଡ୍’ରେ ଭାରତୀୟ ନୌସେନା; ଟାର୍ଗେଟରେ ପୂରା ପାକିସ୍ତାନ!
ନୂଆଦିଲ୍ଲୀ/ ମୁମ୍ବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୀମାନ୍ତରେ ପାକିସ୍ତାନୀ ରେଞ୍ଜର୍ସମାନେ ପ୍ରତ୍ୟେକ ଦିନ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ପୋଷ୍ଟ ଉପରକୁ ଗୁଳିଗୋଳା ସହ ମୋର୍ଟାର ମାଡ଼ ଜାରି ରଖିଛନ୍ତି। ଖାଲି ଏତିକିରେ କଥା ସୀମିତ ରହିନାହିଁ ପାକିସ୍ତାନ୍ତୀ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକ ମଧ୍ୟ ରାତି ଅଧରେ ‘ସୁପରସୋନିକ୍’ ବେଗରେ ଭାରତୀୟ ସୀମା ମଧ୍ୟକୁ ପଶି ଆସୁଛି। ଲାଗୁଛି, ଭାରତୀୟ ବାୟୁସେନା ବାଲାକୋଟରେ କରିଥିବା ଏୟାର ଷ୍ଟ୍ରାଇକ୍ର ପ୍ରତିଶୋଧ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ଜରିଆରେ ନେବାକୁ ସୁଯୋଗ ଅପେକ୍ଷାରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏପ୍ରକାରର ପରିସ୍ଥିତିରେ ଦେଶର ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଥିବା ହୃଦ୍ବୋଧ କଲା ପରେ ପ୍ରତିରକ୍ଷା ବିଭାଗ, ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ଓ ଆହ୍ଵାନର ମୁକାବିଲା କରିବା ପାଇଁ କେବଳ ବାୟୁସେନା ଓ ସ୍ଥଳସେନାକୁ ସଜାଗ ଓ ପ୍ରସ୍ତୁତ କରି ‘ଷ୍ଟ୍ରାଇକିଙ୍ଗ୍ ମୋଡ୍’ରେ ରଖି ନାହିଁ; ନୌସେନାକୁ ବି ମଧ୍ୟ ସମସ୍ତ ପ୍ରକାରର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ନେଇ ଆରବ ସାଗରରେ ମୁତୟନ କରି ସାରିଲାଣି। ଏକ ବଡ଼ ଯୁଦ୍ଧର ସଫଳତା ପୂର୍ବକ ମୁକାବିଲା ପାଇଁ ଭାରତୀୟ ନୌସେନା ମଧ୍ୟ ନିଜର ଲଢ଼ୁଆ ବାହିନୀକୁ ‘ଷ୍ଟାଣ୍ଡଅପ୍ ମୋଡ୍’ରେ ରଖିଛି।
ଭାରତୀୟ ନୌସେନାର ଏହି ଲଢ଼ୁଆ ବାହିନୀର ସର୍ବାଗ୍ରେ ଶକ୍ତିଶଳୀ ଆଇଏନ୍ଏସ୍ ବିକ୍ରମାଦିତ୍ୟ ମୁତୟନ ରହିଥିବା ବେଳେ ଏହା ପଛରେ ଅନ୍ୟ ଲଢ଼ୁଆ ବିମାନ ବାହୀ ୬୦ଟି ଯୁଦ୍ଧପୋତ ସହ ତଳେ ଆଣବିକ କ୍ଷମତା ସଂପନ୍ନ ବୁଡ଼ାଜାହାଜ (ସବ୍ମେରିନ୍) ଆଇଏନ୍ଏସ୍ ଅରିହନ୍ତ ଓ ଆଇଏନ୍ଏସ୍ ଚକ୍ରକୁ ମଧ୍ୟ ‘ଷ୍ଟାଣ୍ଡଅପ୍ ମୋଡ୍’ରେ ରଖାଯାଇଛି।
ମାସାଧିକ କାଳ ସମୁଦ୍ରର ଅତଳ ଜଳରାଶି ତଳେ ସକ୍ରିୟ ରହି ପାରିବାର କ୍ଷମତା ରଖୁଥିବା ଆଣବିକ ଶକ୍ତି ସଂପନ୍ନ ଆଇଏନ୍ଏସ୍ ଅରିହନ୍ତରେ ମହଜୁଦ୍ ରହିଛି ବୁଡ଼ାଜାହଜରୁ ନିକ୍ଷେପ କରାଯାଇ ପାରୁଥିବା କେ-୧୫ ବାଲିଷ୍ଟିକ୍ ମିସାଇଲ୍ (ଯାହାକି ୭୫୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାଇ ଲକ୍ଷ୍ୟ ଭେଦ କରି ପାରିବ) ଓ କେ- ୪ ବାଲିଷ୍ଟିକ୍ ମିସାଇଲ୍ (ଯାହାକି ୩,୫୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାଇ ଲକ୍ଷ୍ୟ ଭେଦ କରି ପାରିବ)। ଅର୍ଥାତ ଯାହା ରେଞ୍ଜ୍ ମଧ୍ୟରେ ରହିଯିବ ପୂରା ପାକିସ୍ତାନ୍।