ଲଦାଖରେ ଆତଙ୍କ-ନିରୋଧୀ ଡିଭିଜନକୁ ମୁତୟନ କଲା ଭାରତ

ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ଏବେ ବି ଅବ୍ୟାହତ ରହିଛି । ସୀମା ସେପଟେ ଚୀନ ନିଜର ସାମରିକ ଭିତ୍ତିଭୂମି ଓ ସୈନ୍ୟ ସଂଖ୍ୟା ବଢାଇ ଚାଲିଥିବାବେଳେ ଭାରତ ବି ଅନୁରୂପ ପ୍ରସ୍ତୁତି ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ନିଜର ଅତ୍ୟନ୍ତ ଲଢୁଆ ଆତଙ୍କ-ନିରୋଧୀ ଡିଭିଜନକୁ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ମୁତୟନ କରିଛି । ଚୀନ ସେନାର ଯେକୌଣସି ଦୁଃସାହସିକ ପଦକ୍ଷେପର ଦୃଢ ଜବାବ ଦେବାକୁ ଏହି ଡିଭିଜନକୁ ମୁତୟନ କରାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ କିଛି ମାସ ତଳେ ଏହି ଡିଭିଜନକୁ ଏଲଏସିକୁ ପଠାଯାଇଥିଲା । ଏହି ଡିଭିଜନରେ ପ୍ରାୟ ୧୫ ହଜାର ଯବାନ ଅଛନ୍ତି । ଏହି ଯବାନମାନେ ପାର୍ବତ୍ୟ ଯୁଦ୍ଧ ଓ ଅତ୍ୟନ୍ତ ଥଣ୍ଡା ପରିବେଶରେ ଲଢିବାକୁ ପାରଙ୍ଗମ । କଶ୍ମୀର ଓ ଅନ୍ୟ କେତେକ ସ୍ଥାନରେ ଆତଙ୍କବିରୋଧୀ ଅପରେସନରେ ଏମାନଙ୍କୁ ପୂର୍ବରୁ ମୁତୟନ କରାଯାଇଥିଲା । ଚୀନର ମୁକାବିଲା ପାଇଁ ଏବେ ଲଦାଖରେ ଥିବା ୧୪ କୋର ଅଧିନରେ ଏବେ ଦୁଇଟି ଡିଭିଜନ ଅଛନ୍ତି । ଏହାଛଡ଼ା ଆଉ କେତେକ ଅତିରିକ୍ତ ୟୁନିଟକୁ ମଧ୍ୟ ସେଠାରେ ମୁତୟନ କରାଯାଇଛି । ଫଳରେ ଲଦାଖ ଏଲଏସି ନିକଟରେ ଏବେ ଭାରତର ୫୦ ହଜାରରୁ ଅଧିକ ସୈନିକ ଅଛନ୍ତି ।

ସମ୍ବନ୍ଧିତ ଖବର