ଚୀନର ମୁକାବିଲା ପାଇଁ ସୀମାରେ ଶକ୍ତିଶାଳୀ ଚିନୁକ ହେଲିକାପ୍ଟର ମୁତୟନ କଲା ଭାରତ

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି କିଛିଟା ପ୍ରଶମିତ ହୋଇଥିଲେ ମଧ୍ୟ ଚୀନ ସେନାର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ଭାରତୀୟ ସେନା । ଏଥିପାଇଁ ସୀମାରେ ସେନାପକ୍ଷରୁ ଶକ୍ତି ବୃଦ୍ଧି  କରାଯାଉଛି । ସୀମାକୁ ଭାରତୀୟ ଯବାନ ଓ  ଓଜନିଆ ସାମରିକ ଉପକରଣ ପରିବହନ ପାଇଁ ଆମେରିକା ନିର୍ମିତ ଶକ୍ତିଶାଳୀ ଚିନୁକ ହେଲିକାପ୍ଟର ନିୟୋଜିତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଆସାମରେ ଥିବା ମୋହନବାରି ବାୟୁସେନା ଘାଟିରେ ଏହି ହେଲିକାପ୍ଟରକୁ ମୁତୟନ କରାଯାଇଛି । ଏହାକୁ ଭାରତୀୟ ସେନା ନିଜର ସାମରିକ ଅପରେସନରେ ଉପଯୋଗ କରିପାରିବ ।  ଏହା ମାଧ୍ୟମରେ ସିକିମ, ଅରୁଣାଚଳପ୍ରଦେଶ ସୀମାକୁ ସହଜରେ ସେନା ଓ ସାମରିକ ଉପକରଣ, ଗୋଳାବାରୁଦ ଆଦି ପଠାଯିବ । ଦୁର୍ଗମ ପାହାଡ଼ିଆ ଅଂଚଳରେ ଏହା ସହଜରେ  ଉଡ଼ିବା ସହ ଭାରତୀୟ ସେନାକୁ ସହାୟକ ହୋଇପାରିବ ।

ବିଶେଷଜ୍ଞମାନଙ୍କ ମତରେ ସିକ୍କିମ ଓ ଅରୁଣାଚଳପ୍ରଦେଶ ଆଦି ସୀମାନ୍ତ ଇଲାକାରେ ଚୀନସେନା ଯଦି କୌଣସି       ଅନୁପ୍ରବେଶ କରେ ତେବେ ଏହି ହେଲିକାପ୍ଟର ମାଧ୍ୟମରେ ଅଳ୍ପ ସମୟ ମଧ୍ୟରେ ଅନେକ ଯବାନକୁ ପ୍ରେରଣ କରିହେବ । ଏହା ମାଧ୍ୟମରେ ଆର୍ଟିଲାରୀ ଗନକୁ ମଧ୍ୟ ଯୁଦ୍ଧ କ୍ଷେତ୍ରକୁ ପଠାଇହେବ ।

ଆମେରିକାର ଚିନୁକ ହେଲିକାପ୍ଟରକୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ହେଲିକାପ୍ଟର ବୋଲି କୁହାଯାଏ । ଏହା ଗୋଟିଏ ଥରରେ ୧୩ ହଜାର କିଲୋଗ୍ରାମ ଓଜନର ସାମଗ୍ରୀ ପରିବହନ କରିପାରିବ । ଭାରତ ଆମେରିକାଠାରୁ ଚିନୁକ ସହ ଆଉ ଏକ ଶକ୍ତିଶାଳୀ ଲଢୁଆ ହେଲିକାପ୍ଟର ଆପାଚେ ମଧ୍ୟ କିଣିଛି ।

ସମ୍ବନ୍ଧିତ ଖବର