ପାକିସ୍ତାନ ସୀମାରେ ତେଜସ ଲଢୁଆ ବିମାନ ମୁତୟନ କଲା ଭାରତୀୟ ବାୟୁସେନା 

ନୂଆଦିଲ୍ଲୀ : ଚୀନକୁ ଲାଗିଥିବା ସୀମାରେ ବିପଦ ଆଶଙ୍କା ବଢିଚାଲିଥିବାବେଳେ ପାକିସ୍ତାନ ପଟୁ ମଧ୍ୟ ବରାବର ବିପଦ ଲାଗିରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ଉଭୟ ଉତ୍ତର ଓ ପଶ୍ଚିମ ସୀମାରେ ସାମରିକ ପ୍ରସ୍ତୁତି ଜାରି ରଖିଛି । ଲଦାଖ ସୀମାରେ ସୁଖୋଇ, ଜାଗୁଆର, ରାଫେଲ ପରି ଯୁଦ୍ଧ ବିମାନ ମୁତୟନ କରିବା ପରେ ଏବେ ପାକିସ୍ତାନ ସୀମାରେ ତେଜସ୍‌ ଲଢୁଆ ବିମାନ ମୁତୟନ କରାଯାଇଛି । ଏଲସିଏ ତେଜସର ଗୋଟିଏ ସ୍କ୍ଵାର୍ଡନ ବିମାନ ପଶ୍ଚିମ ସୀମାର ଫରଓ୍ଵାର୍ଡ ବେସଗୁଡ଼ିକରେ ମୁତୟନ କରାଯାଇଛି ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ (ଏଲସିଏ) ତେଜସ ରାଷ୍ଟ୍ରାୟତ୍ତ ସଂସ୍ଥା ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ ଦ୍ୱାରା ନିର୍ମାଣ କରାଯାଉଛି । ୮୩ଟି ଏଲସିଏ କିଣିବାକୁ ଭାରତୀୟ ବାୟୁସେନା  ହାଲକୁ ଅର୍ଡର ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସ୍ୱାଧୀନତା ଦିବସ ପରେଡ ଅବସରରେ ଏଲସିଏକୁ ପ୍ରସଂଶା କରିବା ସହ ୮୩ ବିମାନ ଅଧିଗ୍ରହଣ ପ୍ରକ୍ରିୟା ଖୁବଶୀଘ୍ର ସଂପୂର୍ଣ୍ଣ ହେବ ବୋଲି କହିଥିଲେ । ଭାରତ ସରକାର ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଉଥିବାରୁ ତେଜସ ବିମାନର ଗୁରୁତ୍ୱ ବଢିଯାଇଛି । ବିଦେଶୀ ବିମାନ ଖରିଦରେ ବିଳମ୍ବ ହେଉଥିବାରୁ ବାୟୁସେନାର ଲଢୁଆ ବିମାନ ଆବଶ୍ୟକତା ମେଣ୍ଟାଇବାକୁ ତେଜସ ନିକଟରେ ସୁଯୋଗ ରହିଛି । ଏହି ବିମାନକୁ କେତେକ ବନ୍ଧୁ ରାଷ୍ଟ୍ରଙ୍କୁ ରପ୍ତାନି କରିବାକୁ ମଧ୍ୟ ଭାରତ ସରକାର ଯୋଜନା କରୁଛନ୍ତି ।

ସମ୍ବନ୍ଧିତ ଖବର