ଭାରତର ମୁହଁତୋଡ଼ ଜବାବ : ପାକିସ୍ତାନର ୧୦ ସୈନିକ, ୨୨ ଆତଙ୍କବାଦୀ ନିପାତ

ମଧ୍ୟରାତିରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ, ପିଓକେରେ ଆତଙ୍କବାଦୀଙ୍କ ୩ ଶିବିର ଧ୍ୱସ୍ତ

ନୂଆଦିଲ୍ଲୀ : ଗତକିଛି ଦିନ ଧରି ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଆଖିବୁଜା ଗୁଳିମାଡ଼ କରୁଥିବା ପାକିସ୍ତାନକୁ ଆଜି କଡ଼ା ଜବାବ‌ ଦେଇଛି ଭାରତୀୟ ‌ସେନା। ପାକିସ୍ତାନୀ ‌ସେନାକୁ ମୁହଁତୋଡ଼ ଜବାବ ଦେବାକୁ ଯାଇ ଭାରତୀୟ ‌ସେନା ଗତ ମଧ୍ୟରାତିରେ ପାକିସ୍ତାନ ଅଧିକୃତ କଶ୍ମୀର ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିର ଏବଂ ସାମରିକ ଘାଟୀ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଏଥିରେ ୧୦ ଜଣ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିବା ବେଳେ ୨୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ତିନିଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦିଆଯାଇଥିବା ବେଳେ ‌ଅନେକ ପାକିସ୍ତାନୀ ସୈନ୍ୟ ଓ ଆତଙ୍କବାଦୀ ମଧ୍ୟ ଆହତ ହୋଇଛନ୍ତି। ଭାରତ ଭିତରକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନୀ ସେନାର ଉଦ୍ୟମକୁ ବିଫଳ କରି ଦିଆଯାଇଛି। ଏହି ଜବାବୀ କାର୍ଯ୍ୟାନୁଷ୍ଠାନରେ ଅତ୍ୟାଧୁନିକ ତୋପର ବ୍ୟବହାର କରାଯାଇଥିବା ଜଣାପଡ଼ିଛି।

ପାକିସ୍ତାନୀ ସେନା ଗତରାତିରେ ପୁଣି ବଡ଼ ଧରଣର ଅସ୍ତ୍ରବିରତି ଉଲ୍ଲଂଘନ କରି କୁପୱାଡ଼ା ଏବଂ ବାରମୁଳା ସେକ୍ଟରରେ ଗୁଳି ମାଡ଼ କରିଥିଲା। ଏଥିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ଘଟିଥିଲା। ବିନା କାରଣରେ ଗତରାତି ପ୍ରାୟ ୧ଟା ୩୦ରେ ଭାରତର ଆଗୁଆ ପୋଷ୍ଟ ଏବଂ ଜନବସତିକୁ ଟାର୍ଗେଟ୍‌ କରି ପାକିସ୍ତାନ ଗୁଳି ବର୍ଷା ଆରମ୍ଭ କରିଥିଲା। ଏହି ଘଟଣା ପରେ ଭାରତ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଥିଲା। ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍‌ର ସଠିକ୍‌ ଅବସ୍ଥିତି ଜଣାପଡ଼ିବା ଏବଂ ଭାରତରେ ଅନୁପ୍ରବେଶ ପାଇଁ ପାକ୍‌ ସେନା ଦ୍ବାରା ସେମାନଙ୍କ ଅନୁପ୍ରବେଶ ଯୋଜନା ବାବଦ ତଥ୍ୟ ମିଳିବା ପରେ ଭାରତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।

ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଏହି ସୂଚନା ଦେଇ କହିଛନ୍ତି ଯେ ନିଲମ ଘାଟିରେ ଅବସ୍ଥିତ ୭ଟି ଆତଙ୍କବାଦୀ ଶିବିରରୁ ୩ଟି ସଂପୂର୍ଣ୍ଣ ଧ୍ବସ୍ତ ହୋଇଛି ଏବଂ ୭ରୁ ୧୦ ପାକ୍‌ ସୈନିକ ପ୍ରାଣ ହରାଇଛନ୍ତି। କ୍ଷୟକ୍ଷତି ନେଇ ଅଧିକ ଆକଳନ ଜାରି ରହିଛି ବୋଲି ରାୱତ କହିଛନ୍ତି। ଆତଙ୍କବାଦୀଙ୍କ ଚତୁର୍ଥ ଶିବିରରେ ମଧ୍ୟ ବଡ଼ ଧରଣର କ୍ଷୟକ୍ଷତି ଘଟିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ତଙ୍ଗଧାର ସେକ୍ଟରର ଅପରପାର୍ଶ୍ବରେ ଅବସ୍ଥିତ ପାକ୍ ଅଧିକୃତ କଶ୍ମୀରର ନିଲମ ଘାଟି ଅଂଚଳରେ ଶତାଧିକ ଆତଙ୍କବାଦୀ ତାଲିମ ସମାପ୍ତ କରି ଭାରତରେ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଥିଲେ ଏବଂ ପାକିସ୍ତାନ ସେନା ସେମାନଙ୍କୁ ସୁରକ୍ଷା ଦେଉଥିଲା।

ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବଡ଼ ଅନୁପ୍ରବେଶ ଯୋଜନାକୁ ସେନା ପଣ୍ଡ କରିଦେବା ପରେ ପାକିସ୍ତାନ ଉରି, ତଙ୍ଗଧାର, କୁପ୍‌ୱାଡ଼ା, ନୌସେରା ସମେତ ବିଭିନ୍ନ ସେକ୍ଟରରେ ପୁଣି ଗୁଳିବର୍ଷା ଆରମ୍ଭ କରିଛି। ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଉଛି। ନିୟନ୍ତ୍ରଣ ରେଖା ଅଂଚଳରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସେନାମୁଖ୍ୟ ବିପିନ ରାୱତ ସୀମା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଭାରତ ପିଓକେରେ ଆକ୍ରମଣ କରିଥିବା ଆଜି ପାକିସ୍ତାନ ସ୍ବୀକାର କରିବା ସହ ଏଥିରେ ଜଣେ ସୈନିକଙ୍କ ସମେତ ମୋଟ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା କହିଛି। ତଙ୍ଗଧାର ସେକ୍ଟରରେ ପାକିସ୍ତାନ ଗୁଳିବର୍ଷାରେ ଭାରତର ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ଦାବି କରିଛି। ତେବେ ପାକିସ୍ତାନର ଏଭଳି ଡାହା ମିଛ ବୟାନକୁ ସେନା ପ୍ରତ୍ୟାଖ୍ୟାନ କରିବା ସହ ପାକିସ୍ତାନ ସତ୍ୟକୁ ସ୍ବୀକାର କରିବାର ସାହସ ରଖୁ ବୋଲି କହିଛି।

ସମ୍ବନ୍ଧିତ ଖବର